Categories: ଖେଳ

ଜୁନିୟର ମହିଳା ହକି ଦଳ ଚିଲି ଗସ୍ତ କରିବ: ଭାରତୀୟ ଦଳରେ ୩ ଓଡ଼ିଆ

ନୂଆଦିଲ୍ଲୀ,୯।୧(ପି.ଟି.): ଭାରତୀୟ ଜୁନିୟର ମହିଳା ହକି ଦଳ ଗୋଟିଏ ବର୍ଷ ପରେ ପୁଣି ଥରେ ପେସାଦାର ଖେଳକୁ ଫେରିିବ। କୋଡିଡ୍‌-୧୯ କାରଣରୁ ପାଖାପାଖି ଗୋଟିଏ ବର୍ଷର ବ୍ରେକ୍‌ ପରେ ଭାରତୀୟ ଦଳ ଏବେ ଚିଲି ଗସ୍ତ କରିବ। ଏହି ଗସ୍ତରେ ଭାରତ ୬ଟି ମ୍ୟାଚ୍‌ ଖେଳିବ। ଭାରତୀୟ ଦଳରେ ୩ଜଣ ଓଡ଼ିଆ ଖେଳାଳି ଜୀବନ କିଶୋରୀ ଟପ୍ପୋ, ମାରିଆନା କୁଜୁର ଓ ଅଜମିନା କୁଜୁର ସାମିଲ ହୋଇଛନ୍ତି।
୨୦୧୯ ଡିସେମ୍ବରରେ ଶେଷଥର ପାଇଁ ଏକ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଭାରତ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳିଥିଲା। ଭାରତୀୟ ଦଳ ଚିଲିର ଜୁନିୟର ଦଳ ବିପକ୍ଷରେ ଜାନୁୟାରୀ ୧୭ ଓ ୧୮ରେ ମ୍ୟାଚ୍‌ ଖେଳିବ। ଏହା ପରେ ଦଳ ୨୦, ୨୧, ୨୩ ଓ ୨୪ ତାରିଖରେ ଚିଲିର ସିନିୟର ଦଳ ବିପକ୍ଷରେ ମ୍ୟାଚରେ ଅବତୀର୍ଣ୍ଣ ହେବ। ଅକ୍ଟୋବରରେ ଜାତୀୟ କ୍ୟାମ୍ପକୁ ଫେରିବା ପରେ ଜୁନିୟର ଖେଳାଳିମାନେ କଠିନ ପରିଶ୍ରମ କରିଛନ୍ତି ଓ ସେମାନେ ଚିଲିର ଭିନ୍ନ ପରିବେଶରେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ଆମେ ଉତ୍ସୁକତାର ସହ ଅପେକ୍ଷା କରିଛୁ ବୋଲି ଭାରତୀୟ ଜୁନିୟର କୋଚ୍‌ ଏରିକ୍‌ ଓନ୍‌- ଇଙ୍କ୍‌ କହିଛନ୍ତି।
ହକି ଇଣ୍ଡିଆ ଶୁକ୍ରବାର ୨୪ ଜଣିଆ ଭାରତୀୟ ଦଳ ଘୋଷଣା କରିଥିଲା। ଡିଫେଣ୍ଡର ସୁମନ ଦେବୀ ଥୋଉଡାମ ଅଧିନାୟକ ଓ ଇଶିକା ଚକ୍ରବର୍ତ୍ତୀ ଉପ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ। ଚଳିତ ବର୍ଷ ଜୁନିୟର ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବା ବେଳେ ଏହି ଗସ୍ତରୁ ଗୁରୁତ୍ୱ ବଢିଯାଇଛି। ପୁଣି ୨୦୨୧ ଏପ୍ରିଲ୍‌ରେ ଜୁନିୟର ଏସିଆକପ୍‌ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏହି ଗସ୍ତ ଦଳର ପ୍ରସ୍ତୁତିରେ ବେଶ୍‌ ସହାୟ ହେବ ବୋଲି ଏରିକ କହିଛନ୍ତି। ଏହି ସିରିଜ ଆୟୋଜନ ପାଇଁ ଚିଲି ହକି ଫେଡେରେଶନ ଓ ହକି ଇଣ୍ଡିଆ ଏକ ଜୈବ ସୁରକ୍ଷିତ ପରିବେଶ ସୃଷ୍ଟି କରିବାକୁ ଏକମତ ହୋଇଛନ୍ତି। ଯାତ୍ରା କରିବା ପୂର୍ବରୁ ଭରତୀୟ ଖେଳାଳିଙ୍କ ଦୁଇଥର ପରୀକ୍ଷା ହେବ।
ଭାରତୀୟ ଜୁନିୟର ମହିଳା ଦଳ:
ସୁମନ ଦେବୀ ଥୋଉଡାମ (ଅଧିନାୟିକା), ଖୁସ୍‌ବୁ, ରାସନପ୍ରୀତ କୌର, ମହିମା ଚୌଧୁରୀ, ପ୍ରିୟଙ୍କା, ଗଗନଦୀପ୍‌ କୌର, ଇଶିକା ଚୌଧୁରୀ (ଉପଅଧିନାୟିକା), ସୁଷମା କୁମାରୀ, ଅକ୍ଷତା ଡେକାଲେ, ବଲଜିତ କୌର, ଚେତନା, ମାରିଆନା କୁଜୁର, ଅଜମିନା କୁଜୁର, ରିତ୍‌, ପ୍ରଭଲିନ୍‌ କୌର, ବୌଷ୍ଣବୀ ଫାଲ୍‌କେ, ପ୍ରୀତି, ଜୀବନ କିଶୋରୀ ଟପ୍ପୋ, ମୁମ୍‌ତାଜ ଖାଁ, ଋତୁଜା ପିସାଲ, ସଙ୍ଗୀତା କୁମାରୀ, ବିୟୁଟି ଡଙ୍ଗଡଙ୍ଗ, ଲାଲରିଣ୍ଡିକି ଓ ଦୀପିକା।

Share