ବୃହସ୍ପତି ଅଭିମୁଖେ ଜୁଇସ୍‌ ଅଭିଯାନ

ୟୁରୋପୀୟ ମହାକାଶ ସଂସ୍ଥା ଚଳିତ ବର୍ଷ ଏପ୍ରିଲ ୧୪ ତାରିଖରେ ବୃହସ୍ପତି ଓ ଏହାର ତିନୋଟି ବଡ଼ ବରଫ ଆଚ୍ଛାଦିତ ଉପଗ୍ରହର ବିଶଦ ଅଧ୍ୟୟନ ପାଇଁ ‘ଜୁଇସ୍‌’ ନାମକ ଗୋଟିଏ ମହାକାଶ ଯାନ ପଠାଇଛି। ଏହାକୁ ‘ଜୁଇସ ଅଭିଯାନ’ ନାମରେ ନାମିତ କରାଯାଇଛି। ଆମ ସୌରଜଗତରେ ବୃହସ୍ପତିର ଏକ ବିଶେଷ ସ୍ଥାନ ଅଛି। ଏହା ହେଉଛି ସୌଜଗତର ବୃହତ୍ତମ ଗ୍ରହ। ପୃଥିବୀଠାରୁ ୫.୨ ଜ୍ୟୋତିର୍ବିଦୀୟ ଏକକ ଦୂରତାରେ ଏହା ସୂର୍ଯ୍ୟକୁ ପରିକ୍ରମଣ କରୁଛି। ସୂର୍ଯ୍ୟ ଚାରିପଟେ ଥରେ ଘୂରି ଆସିବାକୁ ଏହା ୧୧.୮୬ ବର୍ଷ ନେଇଥାଏ। ଏହାର ବସ୍ତୁତ୍ୱ ହେଉଛି ପୃଥିବୀ ବସ୍ତୁତ୍ୱର ୩୧୮ ଗୁଣ। ଏହା ମୁଖ୍ୟତଃ ଗ୍ୟାସ୍‌କୁ ନେଇ ଗଠିତ। ଏଣୁ ଏହାକୁ ‘ଗ୍ୟାସୀୟ ଦାନବ ଗ୍ରହ’ ଭାବରେ ବର୍ଗୀକରଣ କରାଯାଇଛି।
ବୃହସ୍ପତିର ଏକ ଆଶ୍ଚର୍ଯ୍ୟ ହେଉଛି ଏହାର ଉପଗ୍ରହ ସଂଖ୍ୟା। ଏପର୍ଯ୍ୟନ୍ତ ଏହି ଗ୍ରହର ୯୨ଟି ଉପଗ୍ରହ ଆବିଷ୍କୃତ ହୋଇଛି। ଏଥିମଧ୍ୟରୁ ୭୬ଟି ଉପଗ୍ରହର ବ୍ୟାସ ୧୦ କିମିରୁ କମ୍‌ ଏବଂ ଏଗୁଡ଼ିକ ମହାକାଶ ଅଭିଯାନ ଦ୍ୱାରା ୧୯୭୫ ମସିହା ପରେ ଆବିଷ୍କୃତ ହୋଇଛି। ଏହାର ଚାରୋଟି ବଡ଼ ଉପ୍ରଗହ (ଆଇଓ, ୟୁରୋପା, ଗାନିମିଡ ଏବଂ କାଲିଷ୍ଟୋ)କୁ ଇଟାଲୀର ବୈଜ୍ଞାନିକ ଗାଲିଲିଓ ୧୬୧୦ ମସିହାରେ ଆବିଷ୍କାର କରିଥିଲେ। ଏଣୁ ଏହି ଉପଗ୍ରହଗୁଡ଼ିକୁ ‘ଗାଲିଲୀୟ ଉପଗ୍ରହ’ କୁହାଯାଏ। ଆମ ଚନ୍ଦ୍ର ବ୍ୟତୀତ ଅନ୍ୟ ଉପଗ୍ରହ ଆବିଷ୍କାର ହେବାରେ ଏହା ପ୍ରଥମ ଗ୍ରହ ଥିଲା। ଏଥିରୁ ଗାଲିଲିଓ ସୌରକେନ୍ଦ୍ରିକ ମତବାଦକୁ ଦୃଢ଼ୀଭୂତ କରିଥିଲେ। ଏହା ପୂର୍ବରୁ ପ୍ରଚଳିତ ଭୂକେନ୍ଦ୍ରୀୟ ମତବାଦ ଅନୁଯାୟୀ ପୃଥିବୀକୁ ବିଶ୍ୱର କେନ୍ଦ୍ର ମନେ କରାଯାଉଥିଲା ଏବଂ ଅନ୍ୟ ସମସ୍ତ ଗ୍ରହ, ଉପଗ୍ରହ ଏବଂ ସୂର୍ଯ୍ୟ ଏହା ଚାରିପଟେ ପରିକ୍ରମଣ କରୁଥିବା ବିଶ୍ୱାସ କରାଯାଉଥିଲା। କିନ୍ତୁ ଗାଲିଲିଓ ଏହି ଉପଗ୍ରହଗୁଡ଼ିକୁ ଆବିଷ୍କାର କରି ପ୍ରମାଣ କଲେ ଯେ ଅନ୍ୟ ଗ୍ରହ ଚାରିପଟେ ମଧ୍ୟ ଉପଗ୍ରହ ପରିକ୍ରମଣ କରୁଛି। ଆଜିକୁ ପ୍ରାୟ ୪.୫ ବିଲିୟନ ବର୍ଷ ପୂର୍ବେ ଏହି ଚାରୋଟି ଉପଗ୍ରହ ବୃହସ୍ପତି ସହିତ ଏକ ସମୟରେ ସୃଷ୍ଟି ହୋଇଥିଲା। ଅନ୍ୟ ଉପଗ୍ରହଗୁଡ଼ିକୁ ବୃହସ୍ପତି ନିଜର ପ୍ରବଳ ମାଧ୍ୟାକର୍ଷଣ ବଳ ସାହାଯ୍ୟରେ ପ୍ରଗ୍ରହଣ କରିଛି।
ଜୁଇସ୍‌ ମହାକାଶ ଯାନ ବୃହସ୍ପତି ସମେତ ଏହାର ତିନି ଉପଗ୍ରହ ଗାନିମିଡ, କାଲିଷ୍ଟୋ ଓ ୟୁରୋପାକୁ ଅଧ୍ୟୟନ କରିବ। ପୂର୍ବରୁ ବୃହସ୍ପତି ନିକଟକୁ ସାତଟି ମହାକାଶଯାନ ଯାଇସାରିଛି। କିନ୍ତୁ କେବଳ ବୃହସ୍ପତି ଓ ଏହାର ଉପଗ୍ରହଗୁଡ଼ିକୁ ଅଧ୍ୟୟନ କରିବା ପାଇଁ ଦୁଇଟି ଯାନ ଯାଇଛି। ଗୋଟିଏ ହେଉଛି ଗାଲିଲିଓ ଯାନ, ଯାହା ବୃହସ୍ପତି କକ୍ଷରେ ରହି ଏହାକୁ ୧୯୯୫ ରୁ ୨୦୦୩ ମସିହା ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲା। ଅନ୍ୟଟି ହେଉଛି ଜୁନୋ ଯାନ ଏବଂ ଏହା ୨୦୧୬ ମସିହାରୁ ଆଜି ପର୍ଯ୍ୟନ୍ତ ବୃହସ୍ପତିକୁ ପରିକ୍ରମଣ କରୁଛି।
ବୃହସ୍ପତିର ଏହି ତିନୋଟି ବରଫୀୟ ଉପଗ୍ରହ ବୈଜ୍ଞାନିକମାନଙ୍କୁ ଆକର୍ଷଣ କରିବାର ଏକ ବିଶେଷ କାରଣ ଅଛି। ହବଲ୍‌ ଏବଂ ଗାଲିଲିଓ ଅଭିଯାନରୁ ଜଣାପଡ଼ିଛି ଯେ ଏହି ତିନୋଟି ଉପଗ୍ରହର ବରଫ ପୃଷ୍ଠ ତଳେ ତରଳ ଜଳର ମହାସମୁଦ୍ର ଅଛି ଏବଂ ସେଠାରେ ଜୀବଜଗତ ଗଢ଼ି ଉଠିବାର ସମ୍ଭାବନା ଅଛି। ତରଳ ଜଳ ହେଉଛି ଜୀବନର ଆଧାର ଏବଂ ଫଳରେ ଭୂମିତଳ ସମୁଦ୍ରରେ ଅଣୁଜୀବ ଥାଇପାରନ୍ତି ବୋଲି ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି।
ଜୁଇସ୍‌ ଯାନ ଫ୍ରେଞ୍ଚ ଗୁଏନାରେ ଥିବା ମହାକାଶ ଘାଟିରୁ ଏରିଆନେ-୫ ରକେଟ୍‌ ଦ୍ୱାରା ମହାକାଶକୁ ଉତ୍‌କ୍ଷେପଣ କରାଯାଇଛି। ଏହାର ଶୁଷ୍କ ଓଜନ (ଇନ୍ଧନ ବିନା) ହେଉଛି ୨୪୨୦ କିଗ୍ରା ଏବଂ ଇନ୍ଧନ ସହ ଓଜନ ହେଉଛି ୪୮୦୦ କିଗ୍ରା। ଏଥିରେ ଥିବା ୮୫ ବର୍ଗମିଟର ସୌରଫଳକରୁ ୮୫୦ ଓ୍ବାଟ୍‌ ବିଦ୍ୟୁତ୍‌ ଶକ୍ତି ଉତ୍ପାଦିତ ହେବ। ବିଭିନ୍ନ ପ୍ରକାର ତଥ୍ୟ ଆହରଣ ପାଇଁ ଏଥିରେ ଦଶଟି ଯନ୍ତ୍ରପାତି ଖଞ୍ଜାଯାଇଛି। ଜୁଇସ୍‌ ଯାନ ୨୦୩୧ ମସିହା ଜୁଲାଇରେ ବୃହସ୍ପତି କକ୍ଷରେ ପହଞ୍ଚତ୍ ଏହାକୁ ପରିକ୍ରମଣ କରିବ। ଏହା ବୃହସ୍ପତିର ରସାୟନ, ସଂରଚନା, ପାଗ, ଜଳବାୟୁକୁ ଅଧ୍ୟୟନ କରିବ। ଏହା ବୃହସ୍ପତି ଓ ଏହାର ଗ୍ରହଗୁଡ଼ିକ ଚାରିପଟେ ୩୫ ଥର ପରିକ୍ରମଣ କରିବ। ଏହା କାଲିଷ୍ଟୋ ନିକଟ ଦେଇ ୨୧ ଥର ଯିବ ଏବଂ ନିକଟତମ ଦୂରତା ୨୦୦ କିମି ହେବ। ଏହା ମଧ୍ୟ ୟୁରୋପା ନିକଟ ଦେଇ ଦୁଇ ଥର ଯିବ। ହବଲ୍‌ ମହାକାଶ ଦୂରବୀକ୍ଷଣ ଯନ୍ତ୍ର ୟୁରୋପାର ପୃଷ୍ଠରେ ଉଷ୍ଣପ୍ରସ୍ରବଣ ନିର୍ଗତ ହେଉଥିବାର ପର୍ଯ୍ୟବେକ୍ଷଣ କରିଥିଲା। ଜୁଇସ୍‌ରେ ଥିବା ଅତିବାଇଗଣି ବର୍ଣ୍ଣବୀକ୍ଷକ ଯନ୍ତ୍ର ସାହାଯ୍ୟରେ ସେଠାରେ ଜଳକଣାକୁ ଚିହ୍ନଟ କରିବା ପାଇଁ ଯୋଜନା କରାଯାଇଛି।
ଜୁଇସ୍‌ ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ଗାନିମିଡ୍‌। ଏହା ହେଉଛି ସୌରଜଗତର ବୃହତ୍ତମ ଉପଗ୍ରହ ଏବଂ ଏପରିକି ଏହା ହେଉଛି ବୁଧ ଓ ପ୍ଲୁଟୋଠାରୁ ବଡ଼। ନିଜର ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରିବାରେ ଏହା ହେଉଛି ଏକମାତ୍ର ଉପଗ୍ରହ। ଜୁଇସ୍‌ ଏହାର ଘୂର୍ଣ୍ଣନ, ମାଧ୍ୟାକର୍ଷଣ, ଆକୃତି, ଆଭ୍ୟନ୍ତରୀଣ ଗଠନ, ଚୁମ୍ବକୀୟ କ୍ଷେତ୍ର ଓ ଉପାଦାନକୁ ଅଧ୍ୟୟନ କରିବ। ଏହି ଯାନରେ ଥିବା ରାଡାର ସାହାଯ୍ୟରେ ଏହା ଉପଗ୍ରହର ବରଫ ତ୍ୱକ୍‌ର ୯ କିମି ଗଭୀର ପର୍ଯ୍ୟନ୍ତ ଅଧ୍ୟୟନ କରିବ। ଜୁଇସ୍‌ ୨୦୩୪ ମସିହା ଡିସେମ୍ବରରେ ଗାନିମିଡ କକ୍ଷରେ ପ୍ରବେଶ କରିବ। ଏହା ପ୍ରଥମେ ଉଲିପଟିକାଲ (ଉପବୃତ୍ତୀୟ) କକ୍ଷରେ ଗାନିମିଡକୁ ପ୍ରାୟ ୫୦୦୦ କିମି ଦୂରରେ ପରିକ୍ରମଣ କରିବ। ଗାନିମିଡ କକ୍ଷରେ ପ୍ରାୟ ଏକ ବର୍ଷ ପରିକ୍ରମଣ କରିବା ପରେ ୨୦୩୫ ମସିହା ଶେଷଆଡ଼କୁ ଏହାର ଇନ୍ଧନ ଶେଷ ହୋଇଯିବ ଏବଂ ଏହା କକ୍ଷଚ୍ୟୁତ ହୋଇ ଗାନିମିଡ ପୃଷ୍ଠରେ ସଂଘାତ କରିବ।
ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ସଂସ୍ଥା ‘ନାସା’ ମଧ୍ୟ ବୃହସ୍ପତି ନିକଟକୁ ‘ୟୁରୋପା କ୍ଲିପର’ ଅଭିଯାନ ଏହିବର୍ଷ ଅକ୍ଟୋବରରେ ପଠାଇବ ବୋଲି ସ୍ଥିର କରିଛି ଏବଂ ଜୁଇସ୍‌ ସହିତ ପ୍ରାୟ ଏକା ସମୟରେ ଏହା ବୃହସ୍ପତି ନିକଟରେ ପହଞ୍ଚତ୍ବ। ୟୁରୋପାକୁ ଅଧ୍ୟୟନ କରିବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ। ଚାଇନା ମଧ୍ୟ ବୃହସ୍ପତିର ଉପଗ୍ରହଗୁଡ଼ିକର ଅଧ୍ୟୟନ ପାଇଁ ଗୋଟିଏ ଅଭିଯାନ ଶୀଘ୍ର ପଠାଇବା ପାଇଁ ସ୍ଥିର କରିଛି। କାଲିଷ୍ଟୋକୁ ପରିକ୍ରମଣ କରିବା ପାଇଁ ଗୋଟିଏ ଯାନ ପଠାଇବା ସହିତ ଏହା ପୃଷ୍ଠରେ ଅବତରଣ କରିବା ପାଇଁ ଗୋଟିଏ ପ୍ରୋବ୍‌ ଏହା ପଠାଇବ। ଏହିସବୁ ଅଭିଯାନରୁ ବୃହସ୍ପତିର ତିନି ଜଳୀୟ ଉପଗ୍ରହଗୁଡ଼ିକ ସମ୍ବନ୍ଧରେ ଆମେମାନେ ବିଶେଷ ତଥ୍ୟ ଜାଣିପାରିବା ଏବଂ ବିଶେଷ ଭାବେ ଏଠାରେ ଅଣୁଜୀବର ସ୍ଥିତି ନେଇ ଆମର ସନ୍ଦେହ ଦୂର ହେବ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri