ଶପିଂ କରିବାକୁ ଯାଇ ରାସ୍ତା ଭୁଲିଗଲେ ଜାପାନ ରାଜକୁମାରୀ

ଟୋକିଓ,୨୪ା୧୧: ଜାପାନର ରାଜକୁମାରୀ ମାକୋ ବିଳାସମୟ ଜୀବନ ଏବଂ କୋଟିକୋଟି ଟଙ୍କାର ସମ୍ପତ୍ତି ଛାଡ଼ି ଜଣେ ସାଧାରଣ ଲୋକଙ୍କୁ ବିବାହ କରି ଚର୍ଚ୍ଚାରେ ରହିଛନ୍ତି। ମାକୋ ଏବେ ସ୍ବାମୀ କେଇ କୋମୁରୋଙ୍କ ସହ ଜାପାନ ଛାଡ଼ି ଆମେରିକାରେ ରହୁଛନ୍ତି। ଏହା ମଧ୍ୟରେ ନ୍ୟୁୟର୍କ ସହରର ଏକ ମଲ୍‌ରେ ଶପିଂ କରୁଥିବାର ନଜର ଆସିଛନ୍ତି। ଏହି ଘଟଣା ପ୍ରଥମଥର ହୋଇଛି। କାରଣ ଯେତେବେଳେ ବି ମାକୋ ବାହାରକୁ ଯାଆନ୍ତି ତାଙ୍କ ସୁରକ୍ଷା ପାଇଁ ସୁରକ୍ଷାକର୍ମୀମାନେ ନିୟୋଜିତ ହୋଇଥାନ୍ତି। ମାତ୍ର କେଇଙ୍କୁ ବିବାହ କରିଥିବାରୁ ଜଣେ ସାଧାରଣ ମଣିଷ ପରି ସେ ଶପିଂ କରିବାକୁ ବାହାରି ଯାଇଥିଲେ।

ଏକ ରିପୋର୍ଟ ଅନୁଯାୟୀ, ୩୦ ବର୍ଷୀୟା ଜାପାନ ରାଜକୁମାରୀ ମାକୋ ନ୍ୟୁୟର୍କରେ ଶପିଂ କରୁଥିଲେ। ଯାହାକି ମଲ୍‌ରେ ଲାଗିଥିବା ସିସି କ୍ୟାମେରାରେ କଏଦ ହୋଇଛି। ସେ ଏହି ମଲ୍‌ରୁ କିଛି ଘରୋଇ ସାମଗ୍ରୀ କିଣୁଥିବା ଜଣାପଡ଼ିଛି। ମଲ୍‌ରେ ସେ ପ୍ରାୟ ଦେଢ଼ ଘଣ୍ଟା ରହିଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜକୁମାରୀ ଶପିଂ କରିବା ସାରିବା ପରେ ଘରକୁ ଆସିବା ପାଇଁ ରାସ୍ତା ଭୁଲି ଯାଇଥିଲେ। ସେ କିଛି ଲୋକଙ୍କୁ ରାସ୍ତା ପଚାରି ବୁଝିଥିଲେ। ଦୀର୍ଘଘଣ୍ଟା ପରେ ଘରକୁ ଫେରିଥିଲେ। ଏହି ଘଟଣା ଏବେ ଜାପାନ ଏବଂ ଆମେରିକାରେ ବି ଚର୍ଚ୍ଚା ହେଉଛି।

Share