Categories: ଭଦ୍ରକ

ସୌନ୍ଦର୍ଯ୍ୟ ହରାଉଛି ଯଗୁସାଗର ପୋଖରୀ

ଦୋବଲ, ୩ା୧୨( ଡି.ଏନ୍‌.ଏ.)- ଭଦ୍ରକ ଜିଲା ଧାମନଗର ସ୍ଥିତ ସର୍ବ ପୁରାତନ ଓ ଐତିହାସିକ ଯଗୁସାଗର ପୋଖରୀ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଜମିଦାରୀ ପ୍ରଥା ଉଚ୍ଛେଦ ପରେ ଏହି ପୋଖରୀ ସରକାରଙ୍କ ମତ୍ସ୍ୟ ବିଭାଗ ଅଧୀନରେ ରହିଛି। ହେଲେ ଦୀର୍ଘବର୍ଷ ହେବ ବିଭାଗୀୟ ଉଦାସୀନତା ଯୋଗୁ ପୋଖରୀ ଜବରଦଖଲ ହେବାରେ ଲାଗିଛି। ପୋଖରୀ ଓ ତାର ଚତୁଃପାର୍ଶ୍ୱ ହୁଡ଼ା ପ୍ରାୟ ୧୨ ଏକର ଜମି ରହିଥିବା ବେଳେ ହୁଡ଼ାକୁ କେତେକ ମୁଷ୍ଟିମେୟ ଲୋକ କବ୍‌ଜା କରି ନେଲେଣି। ପୋଖରୀର ଦୁଇପାର୍ଶ୍ୱରେ କେତେକ ଲୋକ କୋଠା ଘର ନିର୍ମାଣ କରି ବସବାସ କରୁଥିବା ବେଳେ ସେସବୁ ଘରର ପାଇଖାନା ଓ ମଇଳା ପାଣି ପୋଖରୀକୁ ଛାଡୁଛନ୍ତି। ଏପରିକି ବଜାରର ଅଳିଆ ଆବର୍ଜନା ମଧ୍ୟ ଏହି ପୋଖରୀରେ ପକାଇବାରୁ ପୋଖରୀ କ୍ରମଶଃ ପୋତି ହେବାକୁ ବସିଲାଣି।
ମତ୍ସ୍ୟ ବିଭାଗ ପକ୍ଷରୁ ପୋଖରୀର ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ଏବେ ପୋଖରୀରେ ଅନାବନା ଗଛ ଓ ଦଳ ଭର୍ତ୍ତି ହୋଇ ସମତଳ ଭଳି ଦେଖାଯାଉଛି ା ଫଳରେ ପୋଖରୀ ଦୂଷିତ ହେବା ସହିତ ଏହି ଐତିହାସିକ ପୋଖରୀ ତାର ସୌନ୍ଦର୍ଯ୍ୟକୁ ହରାଉଛି। ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପୋଖରୀର ଉନ୍ନତିକରଣ ପାଇଁ ଚେଷ୍ଟା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ସ୍ତ୍ରୀ ମଞ୍ଜୁଲତା ମଣ୍ଡଳ ଏମ୍‌ପି ହେବା ପରେ ପ୍ରଥମ ଧାମନଗର ଗସ୍ତ ସମୟରେ ସ୍ଥାନୀୟ ଅଞ୍ଚଳବାସୀ ଓ ବରିଷ୍ଠ ନାଗରିକ ପରିଷଦର ସଦସ୍ୟ ପ୍ରମୁଖ ପୋଖରୀର ପୁନଃଉଦ୍ଧାର ପାଇଁ ଦାବି କରିଥିଲେ। ଏମ୍‌ପି ମଣ୍ଡଳ ପୋଖରୀର ଉନ୍ନତିକରଣ ପାଇଁ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ା ଏ ସମ୍ପର୍କରେ ଏମ୍‌ପି ମଣ୍ଡଳ ନଗର ଉନ୍ନୟନ ବିଭାଗ ସହିତ ଆଲୋଚନା କରିଛନ୍ତି ା ଖୁବଶୀଘ୍ର ପୋଖରୀର ପୁନରୁଦ୍ଧାର ସହିତ ତାର ସୌନ୍ଦର୍ଯ୍ୟକରଣ ଓ ଆକର୍ଷିତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୧ କୋଟି ଟଙ୍କା ବ୍ୟୟ କରାଯିବାର ପ୍ରସ୍ତାବ ରହିଛି ା ତେବେ ନିକଟରେ ଏମ୍‌ପି ମଣ୍ଡଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉକ୍ତ ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଏକ ନିବେଦନ ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି। ଏଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ରହିଛି।