ସୌନ୍ଦର୍ଯ୍ୟ ହରାଉଛି ଜଗୁସାଗର

ଧାମନଗର, ୬।୫ (ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବଜାରର ମଧ୍ୟଭାଗରେ ରହିଛି ବହୁ ପୁରାତନ ତଥା ଐତିହାସିକ ଜଗୁସାଗର ପୋଖରୀ। ଏହି ପୋଖରୀର ପୁନରୁଦ୍ଧାର ପାଇଁ ବିଭିନ୍ନ ମହଲରେ ଦାବି ହୋଇଆସୁଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଆଢ଼ୁଆଳରେ ରହି ଆସିଛି। ସରକାର ଜଳାଶୟ ଖୋଳିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପୁରାତନ ତଥା ରାଜାରାଜୁଡ଼ା ଅମଳର ଜଳାଶୟ ପୋତି ହେବା ସହ ଜବରଦଖଲରେ ରହିଥିଲେ ହେଁ ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଗ୍ରୀଷ୍ମ ପ୍ରବାହ ସମୟରେ ଗାଈ ଗୋରୁ ପାଣି ମୁନ୍ଦେ ପିଇବା ପାଇଁ ପାଉ ନ ଥିବାବେଳେ ପୁରାତନ ପୋଖରୀର ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦିଆ ନ ଯିବା ନେଇ ଅସନ୍ତୋଷ ପ୍ରକାଶ ପାଉଛି। ପୋଖରୀ ଓ ଏହା ଚତୁଃପାର୍ଶ୍ୱରେ ହୁଡ଼ା ପ୍ରାୟ ୧୨ ଏକର ରହିଥିବା ବେଳେ ହୁଡ଼ାକୁ କେତେଜଣ ମୁଷ୍ଟିମେୟ ଲୋକ ଜବରଦଖଲ କରି ନିଜ ଅକ୍ତିଆରରେ ରଖିଛନ୍ତି। ଏପରିକି ବଜାର ଦୋକାନୀ ଅଳିଆ ମଧ୍ୟ ଏହି ପୋଖରୀରେ ପକାଇବାରୁ କ୍ରମଶଃ ପୋତି ହୋଇଯାଉଛି। ମତ୍ସ୍ୟ ବିଭାଗ ପକ୍ଷରୁ ପୋଖରୀର ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ଏବେ ପୋଖରୀରେ ଅନାବନା ଗଛ ଓ ଦଳ ଭର୍ତ୍ତି ହୋଇ ପଡ଼ିଆ ଭଳି ସମତଳ ଦୂଶ୍ୟମାନ ହେଉଛି। ପୋଖରୀଟି ପ୍ରଦୂଷିତ ହେବା ସହ ଐତିହ୍ୟ ଓ ସୌନ୍ଦର୍ଯ୍ୟ ହରାଇବାକୁ ବସିଛି।
ପ୍ରକାଶ ଯେ, ଏହି ପୋଖରୀର ଉନ୍ନତୀକରଣ ନେଇ ୨୦୧୮ରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉଦ୍ୟମ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କୁ ଚିଠି ଲେଖିବା ସହ ଆଲୋଚନା କରିଥିଲେ। ପରେ ଏମ୍‌ପି ମଞ୍ଜୁଲତା ମଣ୍ଡଳ ନଗର ଉନ୍ନୟନ ବିଭାଗ ସହ ଆଲୋଚନା କରି ଖୁବ୍‌ଶୀଘ୍ର ପୋଖରୀର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୩ କୋଟି ଟଙ୍କା ବ୍ୟୟ କରାଯିବାର ପ୍ରସ୍ତାବ ରଖିଥିଲେ। ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ ଓ ବିଭାଗୀୟ ଅନୁମୋଦନ ପରେ ଏହା ତ୍ୱରାନ୍ବିତ ହେବ ବୋଲି କହିଥିଲେ। ଏମ୍‌ପି ଓ ଜିଲାପାଳଙ୍କ ହସ୍ତକ୍ଷେପ ଫଳରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକଙ୍କ ଚିଠି ନଂ. ୫୦୪୬ ତା ୨୭।୩।୨୦୨୩ ଅନୁସାରେ ବିଭାଗର ସ୍ବତନ୍ତ୍ର ସଚିବଙ୍କୁ ଉକ୍ତ ପୋଖରୀର ପୁନରୁଦ୍ଧାର ସକାଶେ ଆବଶ୍ୟକ ଅନୁମତି ପାଇଁ ଚିଠି ଲେଖିଥିଲେ। ଏମ୍‌ପି ମଣ୍ଡଳ ଏନେଇ ପତ୍ର ସଂଖ୍ୟା ୧୪୪/ଏମ୍‌.ପି/୨୩, ତା ୨୬।୪।୨୦୨୦୨୩ ରିଖ ଅନୁଯାୟୀ ସବିଶେଷ ମତ ରଖି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ସତନ୍ତ୍ର ସଚିବଙ୍କୁ ଜଗୁସାଗର ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଆବଶ୍ୟକ ଅନୁମତି ଲାଗି ପତ୍ର ଲେଖିଛନ୍ତି। ଅନୁମତି ପରେ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ପଡ଼ିରହିଥିବା ପର୍ଯ୍ୟାପ୍ତ ଅର୍ଥ ଏ ବାବଦରେ ଖର୍ଚ୍ଚ ହୋଇପାରିବା ସହ ବିଭାଗୀୟ ଅର୍ଥ ମଧ୍ୟ ଖର୍ଚ୍ଚ ହୋଇ ଜଗୁସାଗର ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତ୍ୱରାନ୍ବିତ ହେବ ବୋଲି ଏମ୍‌ପି ମଣ୍ଡଳ କହିଛନ୍ତି।