ଅଦରକାରୀ ହୋଇଛି ଜାଗା ମିଶନ ଯୋଜନା

ବ୍ରହ୍ମପୁର ଅଫିସ୍‌, ୭ା୧୧: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୨ ନଂ. ୱାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସ୍ବଚ୍ଛ ବ୍ରହ୍ମପୁର ନେଇ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଏହି ୱାର୍ଡରେ ସ୍ବଚ୍ଛତା ଫେଲ ମାରିଛି। ଅନ୍ୟପଟେ ଉକ୍ତ ୱାର୍ଡର ଜାଗା ମିଶନ ନାମରେ ବିଏମ୍‌ସି ପକ୍ଷରୁ ଖାଲି ଜାଗାର ଉନ୍ନତୀକରଣ ସ୍ଥାନଟି ଅବହେଳିତ ଓ ଅଦରକାରୀ ଭାବେ ପଡି ରହିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ, ଏହି ୱାର୍ଡ ଆନନ୍ଦ ନଗରଠାରେ ରହିଥିବା ଏକ ଖୋଲା ଜାଗାଟିକୁ ବିଏମ୍‌ସି ପକ୍ଷରୁ ଡମ୍ପିଂ ୟାର୍ଡ କରାଯାଇଛି।

ନିକଟରେ ଏକ ଶିଶୁ ଖେଳିଥିବା ବେଳେ ଖୋଲା ନର୍ଦ୍ଦମାରେ ପଡି ଯିବାରୁ ଆହତ ହୋଇଥିଲା। ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ଉଦ୍ୟମ କ୍ରମେ ଖୋଲା ନାଳ ଉପରେ କଂକ୍ରିଟ ପ୍ଲେଟ୍‌ ପକାଯାଇଥିଲା। କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ବିଏମସି କର୍ତ୍ତୃପକ୍ଷ ଏଥିପ୍ରତି କୌଣସି ଆନ୍ତରିକତା ଦେଖାଇ ନ ଥିଲେ। ବର୍ତ୍ତମାନ ଏହି ସ୍ଥାନକୁ ସଫା ନ କରିବାରୁ ସମସ୍ତ ଅଳିଆ ଆବର୍ଜନା ନାଳ ମଧ୍ୟରେ ଜମି ରହୁଛି। ସାମାନ୍ୟ ବର୍ଷା ହେଲେ ଘର ମଧ୍ୟରେ ନର୍ଦ୍ଦମା ପାଣି ପଶିବା ସହ ରାସ୍ତା ଉପରେ ମଧ୍ୟ ପାଣି ଜମି ରହୁଛି। ଏହି ସ୍ଥାନଟିକୁ ସଫା କରା ନ ଯିବା କାରଣରୁ ଏଠାରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି।

ବିଏମ୍‌ସି ପକ୍ଷରୁ ଜାଗା ମିଶନ ଯୋଜନାରେ ୱାର୍ଡରେ ରହିଥିବା ୩୮୭୦ ବର୍ଗଫୁଟ ଖାଲି ଜାଗାର ଉନ୍ନତୀକରଣ କରାଯାଇଛି। ଜାଗାରେ ପେଭର ବ୍ଲକ ସମତଳୀକରଣ, ପିଲାମାନଙ୍କ ପାଇଁ ଖେଳ ପଡିଆ ନିର୍ମାଣ, ଚିତ୍ରକଳା ମାଧ୍ୟମରେ ସାୈନ୍ଦର୍ଯ୍ୟକରଣ, ଗଛଗୁଡିକରେ ବିଭିନ୍ନ ରଙ୍ଗର ଆଲୋକୀକରଣ ଦ୍ୱାରା ସାୈନ୍ଦର୍ଯ୍ୟକରଣ ଏବଂ ଗଛ ଚତୁଃପାର୍ଶ୍ୱରେ ପିଣ୍ଡି ନିର୍ମାଣ କରାଯାଇଥିବା ଫଳକରେ ଉଲ୍ଲେଖ ରହିଛି। କିନ୍ତୁ ଫଳକରେ ସୂଚନା ଅନୁଯାୟୀ କୌଣସି ଆଲୋକୀକରଣର ବ୍ୟବସ୍ଥା କରାଯାଇ ନାହିଁ। ଏଥିସହ ନିର୍ମିତ ଖେଳ ପଡିଆର ରକ୍ଷଣାବେକ୍ଷଣ ହେଉ ନ ଥିବା ବେଳେ ପିଲାଙ୍କ ଖେଳଣା ଭାଙ୍ଗିରୁଜି ପଡିଛି। ଏପରି କି ଉନ୍ନତୀକରଣ ଜାଗାରେ ରହିଥିବା ଚେୟାରଗୁଡିକ ମଧ୍ୟ ନଷ୍ଟ ହେବାକୁ ବସିଲାଣି। ବିଏମ୍‌ସି ପକ୍ଷରୁ ଉକ୍ତ ସ୍ଥାନରେ କାୈଣସି ସଫେଇ କରାଯାଉ ନାହିଁ। ଉକ୍ତ ସ୍ଥାନଟି ବର୍ତ୍ତମାନ ମାଟି କାଦୁଅ ମଧ୍ୟରେ ରହିଛି। ଉଚିତ ରକ୍ଷଣାବେକ୍ଷଣର ଅଭାବରୁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି।

ସ୍ଥାନୀୟ ବାସିନ୍ଦା ଶୈଳନ୍ଦ୍ରି ପାତ୍ର କହିଛନ୍ତି, ଦୀର୍ଘ ଦିନ ଧରି ଏଭଳି ସମସ୍ୟା ଭୋଗି ଆସୁଛୁ, କେହି ବି ଅଭିଯୋଗ ଶୁଣୁ ନାହାନ୍ତି। ବର୍ତ୍ତମାନ ମଶାମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ଏଣୁ ସଫେଇ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉ। ନଚେତ ସଂକ୍ରମଣ ବୃଦ୍ଧି ପାଇବ।