Categories: ଜାତୀୟ

ଆଇଟିଆର୍‌ ଫାଇଲିଂ ଅବଧି ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି

ନୂଆଦିଲ୍ଲୀ,୨୧ା୫: ଆର୍ଥତ୍କ ବର୍ଷ ୨୦୨୦-୨୧ର ଆୟକର ରିଟର୍ନ (ଆଇଟିଆର୍‌) ଫାଇଲିଂ ଅବଧିକୁ କେନ୍ଦ୍ର ସରକାର ଗୁରୁବାର ଚଳିତ ବର୍ଷ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି। ବର୍ତ୍ତମାନ କୋଭିଡ୍‌ ସ୍ଥିତିକୁ ଧ୍ୟାନରେ ରଖି ବ୍ୟକ୍ତିବିଶେଷଙ୍କ ସୁବିଧା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସେହିଭଳି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ କମ୍ପାନୀଗୁଡ଼ିକ ଲାଗି ଆଇଟିଆର୍‌ ଫାଇଲିଂ କରିବା ଅବଧିକୁ ଆଉ ଗୋଟିଏ ମାସ ବଢ଼ାଯାଇ ନଭେମ୍ବର ୩୦ କରାଯାଇଛି। ଉଲ୍ଲେଖଯୋଗ୍ୟ, ବ୍ୟକ୍ତି ବିଶେଷଙ୍କ ଆଇଟିଆର୍‌-୧ ଏବଂ ଆଇଟିଆର୍‌-୪ ଫର୍ମରେ ଫାଇଲିଂ ସୀମା ଚଳିତ ବର୍ଷ ଜୁଲାଇ ୩୧ ଯାଏ ରହିଥିଲା। ଏହାବାଦ୍‌ କମ୍ପାନୀ ଏବଂ ଫାର୍ମଗୁଡ଼ିକର ଅଡିଟ୍‌ କ୍ଷେତ୍ରରେ ଫାଇଲିଂ ଅବଧି ଅକ୍ଟୋବର ୩୧ ରହିଥିଲା। ନିଯୁକ୍ତିଦାତାଙ୍କ ପକ୍ଷରୁ କର୍ମଚାରୀଙ୍କୁ ଫର୍ମ-୧୬ ଇସ୍ୟୁ କରିବାର ଅବଧି ଜୁଲାଇ ୧୫ ଯାଏ ବଢ଼ାଯାଇଥିବା ସିବିଡିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେହିଭଳି ଟାକ୍ସ ଅଡିଟ୍‌ ରିପୋର୍ଟ ଏବଂ ଟ୍ରାନ୍ସଫର ପ୍ରାଇସିଂ ସାର୍ଟିଫିକେଟ ଫାଇଲିଂ କରିବା ଅବଧି ବଢ଼ାଯାଇ ଯଥାକ୍ରମେ ଅକ୍ଟୋବର ୩୧ ଏବଂ ନଭେମ୍ବର ୩୦ ରହିଛି। ଅବଧି ପରେ କିମ୍ବା ପରିବର୍ତ୍ତିତ ରିଟର୍ନ ଦାଖଲ କରିବାକୁ ହେଲେ ବ୍ୟକ୍ତି ବିଶେଷ ୨୦୨୨ ଜାନୁୟାରୀ ୩୧ ଯାଏ ପଇଠ କରିପାରିବେ। ୨୦୨୦-୨୧ ରିଟର୍ନ ଫାଇଲ ଲାଗି ସିବିଡିଟି ପକ୍ଷରୁ ଏପ୍ରିଲ ପହିଲାରେ ବିଜ୍ଞପ୍ତି ଜାରି କରାଯାଇଥିଲା। କୋଭିଡକୁ ନଜରରେ ରଖି ଫର୍ମରେ ବିଶେଷ ପରିବର୍ତ୍ତନ କରାଯାଇ ନ ଥିଲା। ନୂତନ ଟିକସ ସିଷ୍ଟମ ଗ୍ରହଣ କରିବା ନେଇ ଟିକସଦାତାଙ୍କୁ ଏଥିରେ ଏକ ବିକଳ୍ପ ପ୍ରଦାନ କରାଯାଇଥିଲା।

Share