ଧାନ ବିକ୍ରି ସମସ୍ୟା, ଜିଲାପାଳଙ୍କୁ ଫେରାଦ ହେଲା ଏଏପି

ବରଗଡ ଅଫିସ,୨୫।୨: ବରଗଡ ଜିଲା ପଦ୍ମପୁର ଉପଖଣ୍ଡରେ ଧାନ କିଣାବିକା ସମସ୍ୟା ତୁଟି ନାହିଁ। ଅନ୍ୟପଟେ ୧୫ ଦିନ ହେଲା, ଧାନ ଉଠାଣ ଦାବିରେ ପଦ୍ମପୁରରେ ଚାଷୀ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନ ଯୋଗୁ ପଦ୍ମପୁର ଉପଜିଲାପାଳ, ତହସିଲ, ବ୍ଲକ ଆଦି ଅଚଳ ହୋଇ ପଡିଥିବା ବେଳେ କନସିଂହା ଛକରେ ରାସ୍ତା ଅବରୋଧ ମଧ୍ୟ ଜାରି ରହିଛି। ସେହିପରି ଧାନବିକ୍ରି ଚିନ୍ତାରେ ରହିଥିବା ସମ୍ବଲପୁରୀ ଗ୍ରାମର ଜଣେ ଚାଷୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ତଥାପି ଅଞ୍ଚଳର ମଣ୍ଡିରେ ପଡିଥିବା ଅଢେଇ ଲକ୍ଷ କୁଇଣ୍ଟାଲ ଧାନକୁ ଉଠାଣ ପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଅସନ୍ତୋଷ ବଢିବାରେ ଲାଗିଛି। ଏହି କ୍ରମରେ ଗୁରୁବାର ଆମ ଆଦମୀ ପାର୍ଟି (ଏଏପି), ବରଗଡ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି। ଅତିରିକ୍ତ ଜିଲାପାଳ ମିର୍ଧା ଟପ୍ପୋ ସ୍ମାରକପତ୍ର ଗ୍ରହଣ କରିଥିଲେ। ପଦ୍ମପୁର ଅଞ୍ଚଳରେ ବିକ୍ରି ନ ହୋଇ ପଡି ରହିଥିବା ସମସ୍ତ ଧାନକୁ ତୁରନ୍ତ କିଣାଯିବା ସହିତ ସମ୍ବଲପୁରୀ ଗ୍ରାମର ମୃତଚାଷୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସ୍ମାରକପତ୍ରରେ ଦାବି କରାଯାଇଛି। ଆପ ଜିଲା ଆବାହକ ଭବାନୀ ପ୍ରସାଦ ସାହୁ, ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ପଦ୍ମପୁର ସଂଯୋଜକ ପୌଲସଯ ଶାହା, ଅସିତ ସାହୁ, ମେରିୟମ ବାର୍ଲା ପ୍ରମୁଖ ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।