Categories: ଜାତୀୟ

ଦରମା ନ ମିଳିବାରୁ ଆଇଫୋନ ଫାକ୍ଟ୍ରିରେ ଭଙ୍ଗାରୁଜା

ବାଙ୍ଗାଲୋର, ୧୨।୧୨- କର୍ନାଟକର କୋଲାର ଜିଲାର ନରସାପୁର ଅଞ୍ଚଳରେ ଥିବା ଏପଲ ଆଇଫୋନ ଫାକ୍ଟ୍ରିରେ କର୍ମଚାରୀମାନେ ଭଙ୍ଗରୁଜା କରିଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ, ଦରମା ନ ମିଳିବାରୁ ଉତ୍‌କ୍ଷିପ୍ତ ହୋଇ କମ୍ପାନୀର କର୍ମଚାରୀମାନେ ଏଭଳି କାଣ୍ଡ ଭିଆଇଛନ୍ତି। ଏହି କର୍ମଚାରୀମାନେ ଓ୍ବିଷ୍ଟ୍ରନ କର୍ପୋରେଶନ ପାଇଁ କାମ କରନ୍ତି। ଏହି କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ତାଇବାନରେ ଅଛି।

କର୍ମଚାରୀମାନେ ଫାକ୍ଟ୍ରି ପରିସରରେ ଥିବା କାର ଓଲଟି ଦେବା ସହ ବିଭିନ୍ନ ଆସବାପତ୍ର ଭାଙ୍ଗି ଦେଇଛନ୍ତି। ଜଣେ ପୋଲିସ ଅଧିକାରୀ ଘଟଣା ସମ୍ପର୍କରେ କହିଛନ୍ତି, ଦରମା ନ ମିଳିବାରୁ କର୍ମଚାରୀମାନେ ଫାକ୍ଟ୍ରି ଉପରେ ପଥର ମାଡ଼ କରିବା ସହ କମ୍ପ୍ୟୁଟର, ଲାପଟପ ମଧ୍ୟ ଭାଙ୍ଗି ଦେଇଥିଲେ। ସେମାନଙ୍କ ଦାବି ଥିଲା ଯେ, ଫାକ୍ଟ୍ରିରେ ୧୨ ଘଣ୍ଟା କାମ କରାଉଛନ୍ତି। କିନ୍ତୁ ୭ ଘଣ୍ଟା ହିସାବରେ ଦିନକୁ ୨ରୁ ୩୦୦ ଟଙ୍କା ଦିଆଯାଉଛି। ଏ ନେଇ କର୍ମଚାରୀମାନେ ଫାକ୍ଟ୍ରି ମ୍ୟାନେଜମେଣ୍ଟ ନିକଟରେ ଅଭିଯୋଗ କରିଥିଲେ। ହେଲେ କିଛି ଫାଇଦା ନ ମିଳିବାରୁ ଫାକ୍ଟ୍ରିରେ ଭଙ୍ଗାରୁଜା କରାଯାଇଛି। ତେବେ କମ୍ପାନୀ ପକ୍ଷରୁ ଏ ସମ୍ପର୍କରେ କୌଣସି ଅଫିସିଆଲ ସୂଚନା ଦିଆଯାଇ ନାହିଁ।

Share