ଆସନ୍ତା ୯ରେ ପଡ଼ିଥାନ୍ତା ହାତଗଣ୍ଠି, ଫେରିବା ବାଟରେ ଅପେକ୍ଷା କରିଥିଲା ଯମ

ଗଞ୍ଜାମ,୨ା୩(ଡି.ଏନ୍‌.ଏ.): ଆଉ ମାତ୍ର ଦିନ କେଇଟା ପରେ ପଡ଼ିଥାନ୍ତା ହାତଗଣ୍ଠି। ଆସନ୍ତା ୯ରେ ବିବାହ ପାଇଁ ନିମନ୍ତ୍ରଣ ବଣ୍ଟା ସରିଥିଲା। ବନ୍ଧୁ ବାନ୍ଧବଙ୍କୁ ଡକା ମଧ୍ୟ ସରିଛି। ବ୍ରହ୍ମପୁରରୁ ମାଉସୀ ଘରକୁ ନିମନ୍ତ୍ରଣ ଦେଇ ଲୁଗାପଟା କିଣାକିଣି କରି ଘରକୁ ଫେରିବା ବାଟରେ ଦୁର୍ଘଟଣାରେ ଚାଲିଗଲା ଜୀବନ। ବାଟରେ ଅପେକ୍ଷା କରିଥିଲା ମୃତ୍ୟୁ। ବାହା ବେଦୀକୁ ଯିବା ବଦଳରେ ଉଠିଲା କୋକେଇ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଥାନା ଅନ୍ତର୍ଗତ କାଇଁଚପୁର ଗ୍ରାମରେ।

ମିଳିଥିବା ସୂଚନା ଅନୁଯାୟୀ, ବିବାହ କାର୍ଯ୍ୟ ପାଇଁ ସେହି ଗ୍ରାମର କେ ମୁନା ଓ ତାଙ୍କ ମା’ କେ ବଇରୀ ମାଉସୀ ଘରକୁ ଡାକିବା ସହ ଲୁଗାପଟା କିଣି ଗାଁକୁ ଫେରୁଥିଲେ। ଜଗନ୍ନାଥପୁର ନିକଟରେ ଏକ ଟ୍ରକ୍‌ ମୁନାଙ୍କ ବାଇକ୍‌କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ମୁନାଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ମୃତଦେହ ଗ୍ରାମରେ ପହଞ୍ଚିବା ପରେ କାନ୍ଦବୋବାଳିରେ ଗାଁ ଦାଣ୍ଡ ଫାଟି ପଡ଼ିଥିଲା।