Categories: ବାଣିଜ୍ୟ

ଡିଜିଟାଲ ପଲିସିକୁ ଗୁରୁତ୍ୱ ଦେବ ବୀମା କମ୍ପାନୀ

ନୂଆଦିଲ୍ଲୀ: ସରକାର ବର୍ତ୍ତମାନ ସମୟରେ ସବୁକ୍ଷେତ୍ରରେ କାଗଜ ପରିବର୍ତ୍ତେ ଡିଜିଟାଲରେ କାର୍ଯ୍ୟ ସଂପାଦନକୁ ଗରୁତ୍ୱ ଦେଉଛନ୍ତି। ବୀମା କ୍ଷେତ୍ରରେ ମଧ୍ୟ ସେଭଳି ଏକ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି। ଡିଜିଲକର ମାଧ୍ୟମରେ ଗ୍ରାହକଙ୍କୁ ପଲିସି ଜାରି କରିବା ଲାଗି ବୀମା କମ୍ପାନିଗୁଡ଼ିକୁ ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ) ପରାମର୍ଶ ଦେଇଛନ୍ତି। ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଇଆରଡିଏଆଇ ପକ୍ଷରୁ କୁହାଯାଇଛି, ଦେଶର ବୀମା କ୍ଷେତ୍ରରେ ଡିଜିଲକରର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଲାଗି ସବୁ ବୀମା କମ୍ପାନି ସେମାନଙ୍କ ଆଇଟି ବ୍ୟବସ୍ଥାକୁ ଡିଜିଲକର ସୁବିଧା ସହିତ ଯୋଡ଼ନ୍ତୁ। ଫଳରେ ପଲିସିଧାରୀମାନେ ସେମାନଙ୍କ ବୀମା ପଲିସି ସଂକ୍ରାନ୍ତୀୟ ସମସ୍ତ ଦସ୍ତାବିଜକୁ ଡିଜିଲକରରେ ସଂରକ୍ଷିତ କରି ରଖିପାରିବେ। ଆଇଆରଡିଏଆଇ ପକ୍ଷରୁ ଏ ସଂକ୍ରାନ୍ତ ସର୍କୁଲାର ଚଳିତମାସ ୯ ତାରିଖରେ ଜାରି କରାଯାଇଛି। କେବଳ ସେତିକି ନୁହେଁ, ବୀମା କମ୍ପାନି ଗୁଡ଼ିକ ମଧ୍ୟ ସେମାନଙ୍କ ପଲିସିଧାରୀମାନଙ୍କୁ ଡିଜିଲକର ସଂପର୍କରେ ସୂଚନା ପ୍ରଦାନ କରିବେ। ଏଥିସହିତ ତାହାକୁ କିଭଳି ବ୍ୟବହାର କରାଯିବ ସେ ନେଇ ମଧ୍ୟ ସଚେତନ କରିବେ ବୋଲି ଏଥିରେ କୁହାଯାଇଛି। ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟର ନ୍ୟାସନାଲ ଇ-ଗଭର୍ଣ୍ଣାନ୍ସ ଡିଭିଜନ) ରେ କାର୍ଯ୍ୟ କରୁଥିବା ଡିଜିଲକର ଟିମ୍‌ ମଧ୍ୟ ଡିଜିଲକରର ଯେଭଳି ବହୁଳ ବ୍ୟବହାର ହେବ ସେ ସଂକ୍ରାନ୍ତରେ ଆବଶ୍ୟକ ବୈଷୟିକ ପରାମର୍ଶ ଓ ସହାୟତା ଯୋଗାଇ ଦେବାକୁ କୁହାଯାଇଛି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ଡିଜିଲକର ପଦକ୍ଷେପ ଆରମ୍ଭ କରିଛି।

Share