ଆହତ ଦନ୍ତାର ହେଲା ଅସ୍ତ୍ରୋପଚାର

ବେତନଟୀ,୩ା୧୦(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ ବେତନଟୀ ରେଞ୍ଜ୍‌ର ମସିଣାକାଟି ସଂରକ୍ଷିତ ଜଙ୍ଗଲରେ ୧୫ ଦିନ ହେବ ଅସୁସ୍ଥ ଅବସ୍ଥାରେ ବିଚରଣ କରୁଥିବା ଦନ୍ତାହାତୀର ରବିବାର ଅସ୍ତ୍ରୋପଚାର କରାଯାଇଛି। ଅସ୍ତ୍ରୋପଚାର ବେଳେ ହାତୀ ଗୋଡ଼ରୁ ଏକ ମୋଟା ପ୍ଲାଷ୍ଟିକ ରଶି ବାହାରିଥିବା ଚିିକିତ୍ସା କରୁଥିବା ଓୟୁଏଟିର ବିଶେଷଜ୍ଞମାନେ କହିଛନ୍ତି।
ସୂଚନା ଅନୁଯାୟୀ, ବେତନଟୀ ରେଞ୍ଜ ଅଧୀନ ଡୁମାପଦା, ଖଡିଶୋଳ, କାଞ୍ଚନନଗର, ମସିଣାକାଟି ଓ ତୁଙ୍ଗାଧୁଆ ଅଞ୍ଚଳରେ ଏକ ଗୋଠଛଡ଼ା ଦନ୍ତା ବିଚରଣ କରୁଥିଲା। ଗୋଡ଼ରେ କ୍ଷତ ସୃଷ୍ଟି ହୋଇଥିବାରୁ ସେ ସ୍ବାଭାବିକ ଚଳପ୍ରଚଳ କରିପାରୁ ନ ଥିଲା। ବେତନଟୀ ବନ ବିଭାଗର ନଜରକୁ ଆସିବା ପରେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ୱାଇଲ୍ଡ ଲାଇଫ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆରୁ ଡ. ବ୍ରଜରାଜ ଏବଂ ରୁଦ୍ରନାରାୟଣ ମହାପାତ୍ରଙ୍କ ସମେତ ଓୟୁଏଟିର ପ୍ରଫେସର ଇନ୍ଦ୍ରମଣି ନାଥ, ଶିମିଳିପାଳ ଟାଇଗର ରିଜର୍ଭର ଡ. ପୀୟୂଷ ସୋରେନ ପ୍ରମୁଖଙ୍କୁ ନେଇ ଏକ ଡାକ୍ତରୀ ଟିମ୍‌ ରବିବାର ସକାଳେ ହାତୀ ନିକଟରେ ପହଞ୍ଚିଥିଲେ। ଡିଏଫ୍‌ଓ ସନ୍ତୋଷ ଯୋଶୀ, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଡେପୁଟି ଡାଇରେକ୍ଟର ଡ. ସମ୍ରାଟ ଗୌଡ଼ା ପ୍ରମୁଖ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ୍‌ କରାଯିବା ପରେ ପ୍ରଫେସର ନାଥଙ୍କ ସହ ଟିମ୍‌ର ଅନ୍ୟ ସଦସ୍ୟମାନେ ତା’ର ଚିକିତ୍ସା ଆରମ୍ଭ କରିଥିଲେ। ଦୀର୍ଘ ୪ ଘଣ୍ଟା ଉଦ୍ୟମ ପରେ ଅସ୍ତ୍ରୋପଚାର ସଫଳ ହୋଇଥିଲା। ଦନ୍ତାର ବାମପଟ ଆଗ ଗୋଡ଼ରେ ଚାପି ହୋଇରହିଥିବା ଏକ ପ୍ଲାଷ୍ଟିକ୍‌ ରଶିକୁ ବାହାର କରାଯାଇଥିଲା।