ଆହତ ସେନା ଡ୍ରାଇଭର ବୈଶିଙ୍ଗା ଅଞ୍ଚଳର

ବୈଶିଙ୍ଗା,୨୧ା୪(ଡି.ଏନ.ଏ.)- ଜମ୍ମୁ-କଶ୍ମୀର ପୁଞ୍ଚ୍‌ର ମେନ୍ଧାର ଅଞ୍ଚଳରେ ସେନା କର୍ମଚାରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆହତ ହୋଇଥିବା ଡ୍ରାଇଭର ମୟୂରଭଞ୍ଜ ଜିଲା ବୈଶିଙ୍ଗା ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ହେଲେ ଆମ୍ବଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ମନ୍ତ୍ରୀଡ଼ାହି ଗ୍ରାମର ପ୍ରତାପ ମହାନ୍ତଙ୍କ ପୁଅ କାଳୀଚରଣ। ୨୦୧୦ରୁ ସେନାରେ ସେ ଡ୍ରାଇଭର ଭାବେ କାର୍ଯ୍ୟ କରିଆସୁଛନ୍ତି। ଗୁରୁବାର ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣର ଶିକାର ହୋଇଥିବା ଗାଡ଼ିଟିକୁ ସେ ହିଁ ଚଳାଉଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ୫ ଯବାନ ଘଟଣାସ୍ଥଳରେ ଶହୀଦ ହୋଇଯାଇଥିବାବେଳେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ତେବେ ଗୁରୁତର ଆଘାତପ୍ରାପ୍ତ କାଳୀଚରଣ ଅଳ୍ପକେ ବର୍ତ୍ତିଯାଇଥିଲେ। ସେ ଏବେ ସେନା ଶିବିରରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ପରିବାର ଓ ସମ୍ପର୍କୀୟ ଲୋକଙ୍କ ସୂଚନା ଅନୁଯାୟୀ, ତାଙ୍କର ସ୍ବାସ୍ଥ୍ୟାବସ୍ଥା ଏବେ ଠିକ୍‌ ଅଛି। ସେ ପରିବାରବର୍ଗଙ୍କ ସହିତ ନିୟମିତ ବ୍ୟବଧାନରେ କଥା ହେଉଛନ୍ତି।