Categories: ଫୁରସତ

ନେଟ୍‌ଫ୍ଲିକ୍ସରେ ‘ଦି ଇନ୍ଦ୍ରାଣୀ ମୁଖାର୍ଜିଆ ଷ୍ଟୋରି: ବରିଡ୍‌ ଟ୍ରୁଥ୍‌’

ନୂଆଦିଲ୍ଲୀ,୩।୩କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇର ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଦେବା ପରେ ‘ଦି ଇନ୍ଦ୍ରାଣୀ ମୁର୍ଖାଜିଆ ଷ୍ଟୋରି: ବରିଡ୍‌ ଟ୍ରୁଥ୍‌’ ସିରିଜ୍‌ର ପ୍ରସାରଣ ଓଟିଟି ପ୍ଲାଟ୍‌ଫର୍ମ ନେଟ୍‌ଫ୍ଲିକ୍ସରେ ଆରମ୍ଭ ହୋଇଛି। ଝିଅ ଶିନା ବୋରାଙ୍କୁ ହତ୍ୟା ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜିଆ ୨୦୧୫ରେ ଗିରଫ ହୋଇଥିଲେ। ସେ ମୁମ୍ବାଇର ବାଇକୁଲ୍ଲା ଜେଲରେ ରହିଥିବାବେଳେ ତାଙ୍କ ବିରୋଧରେ ହତ୍ୟା ମାମଲା ବିଚାରାଧୀନ ରହିଛି। ସେତେବେଳେ ଏହି ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ଉରାଜ ବାହଲ ଏବଂ ଶାନା ଲେଭିଙ୍କ ନିର୍ଦ୍ଦେଶିତ ୪ ଅଧ୍ୟାୟ ବିଶିଷ୍ଟ ଡକ୍ୟୁମେଣ୍ଟାରି ବହୁଚର୍ଚ୍ଚିତ ଶିନା ବୋରା ହତ୍ୟା ମାମଲାର ଜଟିଳତା ଉପରେ ଆଧାରିତ, ଯାହା ପଛର ସତ୍ୟତା ଏପର୍ଯ୍ୟନ୍ତ ଉନ୍ମୋଚିତ ହୋଇପାରି ନାହିଁ। ମାମଲା ବିଚାରାଧୀନ ଥିବାରୁ ଡକ୍ୟୁମେଣ୍ଟାରିକୁ ପ୍ରସାରଣ ପାଇଁ ଅନୁମତି ନ ଦେବାକୁ ସିବିଆଇ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏହା ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରିବ ବୋଲି ତଦନ୍ତକାରୀ ସଂସ୍ଥା ଯୁକ୍ତି ଦର୍ଶାଇଥିଲା। ତେବେ ଡକ୍ୟୁମେଣ୍ଟାରୀରେ ତଦନ୍ତ କିମ୍ବା ବିଚାରକୁ ପ୍ରଭାବିତ କଲାଭଳି କିଛି ନ ଥିବା ଜାଣିବା ପରେ ହାଇକୋର୍ଟ ଏହାର ପ୍ରସାରଣ ପାଇଁ ଅନୁମତି ଦେଇଥିଲେ।

Share