Categories: ଖେଳ

ବିରାଟ କୋହଲିଙ୍କୁ ନେଇ ଚିନ୍ତାରେ ଭାରତୀୟ ଦଳ

ବିରାଟ କୋହଲି ଏବେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଅଟନ୍ତି। ଏକଦିବସୀୟ ଏବଂ ଟି -୨୦ ବ୍ୟତୀତ କୋହଲି ଟେଷ୍ଟ କ୍ରିକେଟର ଶ୍ରେଷ୍ଠ -୩ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅଛନ୍ତି। ଘରୋଇ ପଡିଆରେ ତାଙ୍କର ସର୍ବାଧିକ ଆଭରେଜ୍‌ ରହିଛି। ତେବେ ବିରାଟ କୋହଲିଙ୍କ ଫର୍ମ ଏବେ ଭାରତୀୟ ଦଳ ପାଇଁ ଚିନ୍ତାର ବିଷୟ ହୋଇଛି। କୋହଲି ଗତ ୧୪ ମାସ ଧରି ବଡ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ଚେନ୍ନାଇ ଟେଷ୍ଟର ପ୍ରଥମ ଇନିଂସରେ ସେ ୬୯ ମିନିଟରେ କ୍ରିଜରେ ରହିବା ପରେ ମଧ୍ୟ ଫର୍ମରେ ଥିବାଭଳି ଜଣାପଡୁ ନ ଥିଲେ। ସେ ୪୮ଟି ବଲରୁ ମାତ୍ର ୧୧ ରନ୍‌ କରି ଆଉଟ୍‌ ହୋଇଥିଲେ। ଗତ ତିନିବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଜଣେ ସ୍ପିନର ଭାରତୀୟ ମାଟିରେ କୋହଲିଙ୍କ ଉଇକେଟ୍‌ ନେଇଛନ୍ତି। ଇଂଲଣ୍ଡର ୨୩ ବର୍ଷୀୟ ଯୁବ ସ୍ପିନର ଡୋମ ବେସ ମଧ୍ୟ କୋହଲିଙ୍କୁ ଅସୁବିଧାରେ ପକାଇଥିଲେ। ବେସ ବଲରେ କୋହଲି ସର୍ଟ ଲେଗରେ ଏକ ସହଜ କ୍ୟାଚ ଦେଇଥିଲେ। କୋହଲି ଗତ ୭ଟି ଟେଷ୍ଟ ଇନିଂସରେ ହାରାହାରି ୧୮.୧୪ ଏବଂ ଗୋଟିଏ ଅର୍ଦ୍ଧଶତକ ହାସଲ କରି ମାତ୍ର ୧୨୭ ରନ ସ୍କୋର କରିଛନ୍ତି କୋହଲି। ୨୦୨୦ ମସିହାରେ କୋହଲିଙ୍କ ବ୍ୟାଟ ଆଦୌ ଚାଲି ନ ଥିଲା। ସେ ୨୩ଟି ମ୍ୟାଚର ୨୫ ଇନିଂସରେ ହାରାହାରି ୩୫.୫୪ରେ ୩ଟି ଫର୍ମାଟରେ ୮୫୩ ରନ ସଂଗ୍ରହ କରିଥିଲେ। ଏହି ସମୟ ମଧ୍ୟରେ କୋହଲି ୭ ଅର୍ଦ୍ଧଶତକ ହାସଲ କରିଥିଲେ। ଗତ ବର୍ଷ ତାଙ୍କ ବ୍ୟାଟରୁ ଗୋଟିଏ ବି ଶତକ ଲାଗି ନ ଥିଲା। ଗତ ୧୨ମାସ ଧରି କୋହଲି ମଧ୍ୟ ପଡ଼ିଆରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ତେବେ ୨୦୧୪ ମସିହାରୁ କୋହଲି ସମସ୍ତ ୩ଟି ଫର୍ମାଟରେ ବୋଲରଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥଲେ। ଖୁବ୍‌ଶୀଘ୍ର ସେ ଫର୍ମକୁ ଫେରିବେ ବୋଲି ତାଙ୍କ ପ୍ରଶଂସକ ଆଶା ପ୍ରକାଶ କରିଛନ୍ତି।

Share