Categories: ଖେଳ

ଅନ୍ତିମ ଟେଷ୍ଟରେ ଖେଳିବେନି ଏହି ଭାରତୀୟ ଷ୍ଟାର ଖେଳାଳି

ଅହମଦାବାଦ,୧।୩: ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ଗୁରୁବାରଠାରୁ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଛି। ରବିବାର ଭାରତୀୟ ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିଥିଲେ। ସୋମବାର ମଧ୍ୟ ଘରୋଇ ଦଳର ତାରକାମାନେ ନେଟ୍ସରେ ଝାଳ ବୁହାଇଥିଲେ। ଅଧିନାୟକ ବିରାଟ କୋହଲି, ସିନିୟର ଓପନର ରୋହିତ ଶର୍ମା ଓ ଉପଅଧିନାୟକ ଅଜିଙ୍କ୍ୟ ରାହାନେ ନେଟ୍ସରେ ବ୍ୟାଟିଂ କରିଥିଲେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଟୁଇଟ୍‌ କରି ଖେଳାଳି ଅଭ୍ୟାସ କରୁଥିବାର ଭିଡିଓ ଅପ୍‌ଲୋଡ କରିଛି। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ୩ ବରିଷ୍ଠ ଖେଳାଳି ପେସର, ସ୍ପିନରଙ୍କ ବୋଲିଂରେ ପୁଲ, ଫ୍ଲିକ୍‌ ଶଟ୍‌ମାନ ଖେଳିବା ସହ ଡ୍ରାଇଭ କରିଥିଲେ।
ଟିମ୍‌ ଇଣ୍ଡିଆ ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ କୋହଲି ଓ ରୋହିତଙ୍କ ସହ ଆଲୋଚନା କରୁଥିବାର ଦେଖାଯାଇଥିଲା। ପିଙ୍କ୍‌ବଲ ତୃତୀୟ ଟେଷ୍ଟରେ ୧୧ଟି ଉଇକେଟ ହାସଲ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଅକ୍ଷର ପଟେଲ ନେଟ୍‌ରେ ବୋଲିଂ କରିଥିଲେ। ସ୍ଲିପ୍‌ରେ ରାହାନେ ଓ ରୋହିତ ଡାହାଣକୁ ଡାଇଭ୍‌ ମାରି କ୍ୟାଚ୍‌ ନେବାର ଅଭ୍ୟାସ କରିଥିଲେ।
କୋହଲିଙ୍କ ନେତୃତ୍ୱାଧୀନ ଭାରତ ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୨୨୭ ରନରେ ପରାସ୍ତ ହୋଇଥିଲା। ଏହାପରେ ଚେନ୍ନାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ୩୧୭ ରନରେ ବିଜୟୀ ହୋଇଥିଲା। ଏଠାରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ଭାରତ ୧୧୨ ଓ ୮୧ ରନରେ ଅଲ୍‌ଆଉଟ କରି ଦୁଇ ଦିନ ମଧ୍ୟରେ ୧୦ ଉଇକେଟରେ ବିଜୟ ହାସଲ କରିଥିଲା। ରବିବାର ମଧ୍ୟ ଭାରତୀୟ କ୍ରିକେଟରମାନେ ଏଠାରେ ପୂରା ଦମ୍‌ରେ ଅଭ୍ୟାସ କରିଥିଲେ। ଅନ୍ତିମ ଟେଷ୍ଟରେ ତାରକା ଦ୍ରୁତ ବୋଲର୍‌ ଯଶପ୍ରୀତ ବୁମ୍‌ରା ଖେଳିବେ ନାହିଁ। ସିରିଜରେ ଭାରତ ୨-୧ରେ ଅଗ୍ରଣୀ ହାସଲ କରିଛି। ଅନ୍ତିମ ଟେଷ୍ଟରେ ବିଜୟୀ ହେଲେ କିମ୍ବା ଡ୍ର ରଖିପାରିଲେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିବ।

Share