Categories: ଖେଳ

ଭାରତୀୟ କ୍ରିକେଟ୍‌ ଦଳକୁ ଝଟ୍‌କା

ଲଣ୍ଡନ,୩।୮: ଅଗଷ୍ଟ ୪ରୁ ଇଂଲଣ୍ଡ ମାଟିରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ହାଇ ପ୍ରୋଫାଇଲ ଟେଷ୍ଟ ସିରିଜ ଆରମ୍ଭ ହେବ। କିନ୍ତୁ ଏହାପୂର୍ବରୁ ଟିମ ଇଣ୍ଡିଆର ସମସ୍ୟା ଶେଷ ହେବାର ନାଁ ନେଉନାହିଁ । ଶୁଭମନ ଗିଲ, ଆଭେଶ ଖାନ ଏବଂ ୱାଶିଂଟନ ସୁନ୍ଦରଙ୍କ ପରେ ଏବେ ଆଉ ଜଣେ ଷ୍ଟାର ଖେଳାଳି ଆହତ ହୋଇଛନ୍ତି। ପ୍ରଥମ ମ୍ୟାଚ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଓପନର୍‌ ମୟଙ୍କ ଅଗ୍ରୱାଲ ଆହତ କାରଣରୁ ପ୍ରଥମ ଟେଷ୍ଟରୁ ବାଦ ପଡିଛନ୍ତି। ଅଭ୍ୟାସ ସମୟରେ ମହମ୍ମଦ ସିରାଜଙ୍କ ଏକ ବଲ୍‌ ମୟଙ୍କଙ୍କ ମୁଣ୍ଡର ପଛପଟ ହେଲମେଟକୁ ବାଜିଥିଲା। ହେଲମେଟ ଖୋଲିବା ପରେ ସେ ଟିକେ ଅସହଜ ଅନୁଭବ କରୁଥିଲେ ଏବଂ ପରେ ଫିଜିଓ ନିତିନ ପଟେଲ ତାଙ୍କର ଚିକିତ୍ସା କରିଥିଲେ। ଏବେ ବିସିସିଆଇ ଘୋଷଣା କରିଛି ଯେ, ଆହତ କାରଣରୁ ମୟଙ୍କ ଅଗ୍ରୱାଲଙ୍କୁ ପ୍ରଥମ ଟେଷ୍ଟରୁ ବାଦ ଦିଆଯାଇଛି। ଯଦି ମୟଙ୍କ ନ ଖେଳିବେ, ତେବେ ଲୋକେଶ ରାହୁଲ ଓପନର୍‌ ଭାବରେ ସୁଯୋଗ ପାଇପାରିବେ। ରାହୁଲ ଅଧିକାଂଶ ଟେଷ୍ଟ ମ୍ୟାଚରେ ଇନିଂସ ଓପନ୍‌ କରିଛନ୍ତି କିନ୍ତୁ ଆଜିକାଲି ସେ ମିଡିଲ ଅର୍ଡରରେ ଖେଳିବାକୁ ପସନ୍ଦ କରୁଛନ୍ତି।

Share