Categories: ଖେଳ

ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରେ ଦୂତୀ, ଶ୍ରାବଣୀ

ନୂଆଦିଲ୍ଲୀ,୧୬।୬: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ଆଥ୍‌ଲେଟିକ୍ସ ଫେଡେରେଶନ (ଏଏଫ୍‌ଆଇ) ପକ୍ଷରୁ ଗୁରୁବାର ୩୭ ଜଣିଆ ଭାରତୀୟ ଆଥ୍‌ଲେଟ୍‌ ଦଳ ଘୋଷଣା କରାଯାଇଛି। ଅଲିମ୍ପିକ୍‌ ଚାମ୍ପିୟନ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଏହି ଦଳର ନେତୃତ୍ୱ ନେବେ। ଏହି ଦଳରେ ଓଡ଼ିଶାର ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ ସ୍ଥାନ ପାଇଛନ୍ତି। ତେବେ ଦୁହେଁ ୧୦୦ ମି. କିମ୍ବା ୨୦୦ ମିଟର ରେସରେ ଭାଗ ନେବେ ନାହିଁ। ସେମାନଙ୍କୁ ଭାରତୀୟ ମହିଳା ୪ x ୧୦୦ ମିଟର ରିଲେ ଦଳରେ ସାମିଲ କରାଯାଇଛି। ଦୁଇ ଓଡ଼ିଆ ଖେଳାଳିଙ୍କ ସହିତ ହିମା ଦାସ, ଏମ୍‌ ଭି ଜିଲନା ଓ ଏନ୍‌ ଏସ୍‌ ସିମି ମଧ୍ୟ ଏହି ଇଭେଣ୍ଟ ପାଇଁ ଦଳରେ ରହିଛନ୍ତି। ଏଏଫ୍‌ଆଇ ଚୟନ କମିଟି ବାଛିଥିବା ୩୭ ଜଣିଆ ଭାରତୀୟ ଦଳରେ ଅନେକ ଷ୍ଟାର ଆଥ୍‌ଲେଟ ରହିଛନ୍ତି। ଦୂତୀ ଏବଂ ହିମାଙ୍କ ଛଡ଼ା ୩୦୦୦ ମିଟର ଷ୍ଟିପଲଚେଜରେ ୮ ଥର ଜାତୀୟ ରେକର୍ଡ ଭାଙ୍ଗିଥିବା ଅବିନାଶ ସାବଲେ, ୧୦୦ ମିଟର ବାଧା ଦୌଡ଼ରେ ଦୁଇ ଥର ଜାତୀୟ ରେକର୍ଡ ଭାଙ୍ଗିଥିବା ଜ୍ୟୋତି ୟାରାଜି ମଧ୍ୟ ରହିଛନ୍ତି। ତେବେ ୨୦୦ ମିଟର ଜାତୀୟ ରେକର୍ଡଧାରୀ ଅମ୍ଳାନ ବର୍ଗୋହେନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଯୋଗ୍ୟତା ହାସଲ କରାପାରି ନାହାନ୍ତି। ଦଳରେ ସ୍ଥାନ ପାଇଥିବା କିଛି ଆଥ୍‌ଲେଟଙ୍କୁ ବର୍ମିଂହାମ ଗସ୍ତ ପୂର୍ବରୁ ସେମାନଙ୍କ ଫର୍ମ ଏବଂ ଫିଟ୍‌ନେସର ପ୍ରମାଣ ଦେବାକୁ ପଡ଼ିବ। ଭେଟେରାନ ଡିସକସ୍‌ ଥ୍ରୋୟର ସୀମା ପୁନିଆ ୫ମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରେ ସ୍ଥାନ ମିଳିଛି। ପୂର୍ବ ସଂସ୍କରଣରେ ତାଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ତାଙ୍କୁ ସୁଯୋଗ ଦିଆଯାଇଛି। ତେବେ ତାଙ୍କ ଯୋଗ୍ୟତା ଉପରେ ଏବେ ବି ପ୍ରଶ୍ନବାଚୀ ରହିଛି। ଆମେରିକାରେ ହେବାକୁ ଥିବା ଏକ ପ୍ରତିଯୋଗିତାରେ ତାଙ୍କୁ ଏଏଫ୍‌ଆଇ ଦ୍ୱାରା ଦିଆଯାଇଥିବା ମାନଦଣ୍ଡ ପୂରଣ କରିବାକୁ ପଡ଼ିବ। ପୁନିଆ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ରାଜ୍ୟଗୋଷ୍ଠୀ ସଂସ୍କରଣରେ ପଦକ ହାସଲ କରିଛନ୍ତି।
ପୁରୁଷ ଆଥଲେଟ୍‌: ଅବିନାଶ ସାବଲେ (୩୦୦୦ ମି. ଷ୍ଟିପଲଚେଜ), ନିତେନ୍ଦର ରାଓ୍ବତ (ମାରାଥନ), ଏମ୍‌ ଶ୍ରୀଶଙ୍କର ଏବଂ ମହମ୍ମଦ ଅନିସ ୟାହିୟା (ଲଙ୍ଗ ଜମ୍ପ), ଅବଦୁଲା ଆବୁବାକର, ପ୍ରବୀଣ ଚିଥ୍ରାଭେଲ ଓ ଏଲଡୋଜ ପଲ (ଟ୍ରିପଲ ଜମ୍ପ), ତାଜିନ୍ଦର ସିଂ ତୁର (ଶଟ ପୁଟ୍‌), ନୀରଜ ଚୋପ୍ରା, ଡିପି ମନୁ ଓ ରୋହିତ ଯାଦବ (ଜାଭେଲିନ ଥ୍ରୋ), ସନ୍ଦୀପ କୁମାର ଓ ଅମିତ ଖାତ୍ରି (ରେସ ଓ୍ବାକିଂ), ଅମୋଜ ଜ୍ୟାକବ, ନୋଆ ନିର୍ମଳ ତୋମ, ଆରୋକିଆ ରାଜିବ, ମହମ୍ମଦ ଅଜମଲ, ନାଗନାଥନ ପାଣ୍ଡି ଓ ରାଜେଶ ରମେଶ (୪ x ୪୦୦ ରିଲେ)।
ମହିଳା ଆଥ୍‌ଲେଟ: ଏସ୍‌ ଧନଲକ୍ଷ୍ମୀ (୧୦୦ ମି. ଏବଂ ୪ x ୪୦୦ ରିଲେ), ଜ୍ୟୋତି ୟାରାଜି (୧୦୦ ମି. ହର୍ଡଲ୍ସ), ଐଶ୍ୱର୍ଯ୍ୟା ବି (ଲଙ୍ଗ ଜମ୍ପ ଓ ଟ୍ରିପଲ ଜମ୍ପ), ଆନସି ସୋଜାନ (ଲଙ୍ଗ ଜମ୍ପ), ମନପ୍ରୀତ କୌର (ଶଟ ପୁଟ୍‌), ନବଜୀତ କୌର ଢ଼ିଲୋନ ଓ ସୀମା ପୁନିଆ (ଡିସକସ ଥ୍ରୋ), ଅନୁ ରାଣୀ, ଶିଳ୍ପା ରାଣୀ (ଜାଭେଲିନ ଥ୍ରୋ), ମଞ୍ଜୁ ବାଲା ସିଂ ଓ ସରିତା ରୋମିତ ସିଂ (ହାମର ଥ୍ରୋ), ଭବନା ଜାଟ, ପ୍ରିୟଙ୍କା ଗୋସ୍ବାମୀ (ରେସ ଓ୍ବାକିଂ), ହିମା ଦାସ, ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ, ଏମ୍‌ ଭି ଜିଲନା ଓ ଏନ ଏସ୍‌ ସିମି (୪ x ୧୦୦ ରିଲେ)।

Share