ଅଭେଦ୍ୟ ଦୁର୍ଗ ପଞ୍ଜଶିର

କାବୁଲ,୨୦ା୮: ଅମରୁଲ୍ଲା ସାଲେହ ହେଉଛନ୍ତି ଆଫଗାନିସ୍ତାନର ପ୍ରଥମ ଉପରାଷ୍ଟ୍ରପତି। ଅଗଷ୍ଟ ୧୫ରେ ତାଲିବାନ୍‌ ପକ୍ଷରୁ କାବୁଲ ଦଖଲ ଘୋଷଣା ପରେ ରାଷ୍ଟ୍ରପତି ଅଶ୍ରଫ୍‌ ଗନିଙ୍କ ସମେତ ଅନେକ ନେତା ଦେଶ ଛାଡ଼ି ପଳାୟନ କରିଥିଲେ। ହେଲେ ତାଲିବାନ୍‌ର ଆତଙ୍କ ଆଗରେ ମୁଣ୍ଡ ନୁଆଇ ନ ଥିଲେ ଅମରୁଲ୍ଲା। ସେ ନିଜକୁ ଆଫଗାନିସ୍ତାନର ବୈଧ କାମଚଳା ରାଷ୍ଟ୍ରପତି ଘୋଷଣା କରିଛନ୍ତି। ଅମରୁଲ୍ଲା ଏବେ ତାଲିବାନ୍‌ ବିରୋଧୀଙ୍କୁ ଏକାଠି କରିବାରେ ଲାଗିଛନ୍ତି। କେବଳ ଅମରୁଲ୍ଲାଙ୍କ ଭୟରେ ୩୪ ପ୍ରଦେଶ ମଧ୍ୟରୁ ଅନ୍ୟତମ ପଞ୍ଜଶିରକୁ ତାଲିବାନ୍‌ ମାଡ଼ିପାରି ନାହିଁ। ତାଲିବାନ୍‌ ବିରୋଧରେ ବିକ୍ଷୋଭକାରୀଙ୍କୁ ସମର୍ଥନ ଜଣାଇଛନ୍ତି। ଜାତୀୟ ପତାକା ଧରି ଦେଶର ମର୍ଯ୍ୟାଦା ରକ୍ଷା ପାଇଁ ଲଢ଼େଇ କରୁଥିବା ଲୋକଙ୍କୁ ସାଲ୍ୟୁଟ୍‌ ବୋଲି ଟୁଇଟ୍‌ କରିଛନ୍ତି। ତାଙ୍କ ଟୁଇଟର ଆକାଉଣ୍ଟକୁ ସୋସିଆଲ ନେଟ୍‌ଓ୍ବର୍କିଂ ସାଇଟ୍‌ ପକ୍ଷରୁ ବ୍ଲକ୍‌ କରିଦିଆଯାଇଛି। ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ ଅଫ୍‌ ଆଫଗାନିସ୍ତାନ ତାଲିବାନ ବିରୋଧୀ ସଂଗ୍ରାମକୁ ଜୋରଦାର କରିଛି। ଦ୍ୱିତୀୟ ପ୍ରତିରୋଧ ନାମରେ ପରିଚିତ ଏହି ଲଢ଼େଇ ହେଉଛି ‘ପଞ୍ଜଶିର ରେଜିଷ୍ଟାନ୍ସ’। ଏହାର ବ୍ୟାନର ତଳେ ନର୍ଦର୍ନ ଆଲାଏନ୍ସ ସଦସ୍ୟ ଓ ତାଲିବାନ୍‌ ବିରୋଧୀ ନେତାମାନେ ଏକାଠି ହେବାରେ ଲାଗିଛନ୍ତି। ଉକ୍ତ ମେଣ୍ଟର ନେତୃତ୍ୱ ନେଉଛନ୍ତି ଅମରୁଲ୍ଲା ଏବଂ ଅହମଦ ମସୌଦ। ଅହମଦ ମସୌଦ ହେଉଛନ୍ତି ଅହମଦ ଶାହ ମସୌଦଙ୍କ ପୁଅ, ଯାହାଙ୍କୁ ତାଲିବାନ ହତ୍ୟା କରିଥିଲା। ଅହମଦ ମସୌଦ ତାଲିବାନ୍‌ ବିରୋଧରେ ଲଢ଼େଇ ପାଇଁ ପାଶ୍ଚାତ୍ୟ ଦେଶଗୁଡ଼ିକର ସହାୟତା ମାଗି ଓ୍ବାଶିଂଟନ ପୋଷ୍ଟକୁ ଏକ ସାକ୍ଷାତ୍‌କାର ଦେଇଛନ୍ତି।

Share