Categories: ରାଜ୍ୟ

ଭଙ୍ଗା ମୋବାଇଲରୁ ମିଳିଲା ମୃତ ଯୁବତୀଙ୍କ ପରିଚୟ

ସମ୍ବଲପୁର,୫ା୧(ବ୍ୟୁରୋ): ୩ ଦିନ ପରେ ସମ୍ବଲପୁର ବୁର୍ଲା ପିସି ବ୍ରିଜ ତଳୁ ମିଳିଥିବା ମୃତ ଯୁବତୀଙ୍କ ପରିଚୟ ପାଇଛି ପୋଲିସ। ଯୁବତୀ ଜଣକ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଗଣ୍ଡପାଲି ଗ୍ରାମର ରିଙ୍କି ସାହୁ(୨୧)। ପୋଲିସ ତାଙ୍କ ବାପାଙ୍କଠାରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ଏଥିରେ ଦର୍ଶାଯାଇଛି, ‘ମନରେ ମାନସିକ ଚାପ ରହିଛି। ତେଣୁ ଦୂରକୁ ଚାଲିଯାଉଛି। ମୁଁ ଯାହା କରିବାକୁ ଯାଉଛି ବହୁତ ଦୁଃଖ ଲାଗୁଛି। ଏପରି ମୁଁ କେଉଁ ପିଲାଙ୍କ ସାଥିରେ ଯାଉଛି, ତାହା କେବେ ଭାବିବ ନାହିଁ। ବାପା ମୁଁ ଦୁଃଖିତ। ଘରେ ସମସ୍ତେ ଭଲରେ ରହିବ, ମୋ ଚିନ୍ତା କରିବ ନାହିଁ। ମୁଁ ମୋ ପରିବାରକୁ ସବୁବେଳେ ମନେ ପକାଇବି। ବୁର୍ଲା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜାନୁୟାରୀ ୩ରେ ମହାନଦୀ ପିସି ବ୍ରିଜ ତଳୁ ଜଣେ ଯୁବତୀଙ୍କ ମୃତଦେହ ଜବତ ହୋଇଥିଲା। ହେଲେ ପରିଚୟ ମିଳିପାରି ନ ଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୧୯/୨୧) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ୪ ତାରିଖରେ ପୋଲିସ ମୃତଦେହ ପଡିବା ସ୍ଥାନ କିଛି ଦୂରରୁ ଏକ ଭଙ୍ଗା ମୋବାଇଲ ଫୋନ ପାଇଥିଲା। ଏହାକୁ ଆଧାର କରି ପୋଲିସ ଯୁବତୀଙ୍କ ପରିଚୟ ଖୋଜିବାରେ ଲାଗିଥିଲା। ପୋଲିସ ତଦନ୍ତ ପରେ ଘଟଣା ସଂକ୍ରାନ୍ତରେ ପରିବାର ଲୋକଙ୍କୁ ସୂଚନା ଦେଇଥିଲା। ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟପକ୍ଷରେ ପୋଲିସ ଯୁବତୀଙ୍କ ବାପାଙ୍କୁ ପଚରାଉଚୁରା କରିଥିଲା। ଝିଅ ଘରୁ ଆସିବା ପୂର୍ବରୁ ଶୋଇବାଘର ତକିଆ ତଳେ ଏକ ଚିଠି ଛାଡି ଆସିଥିଲା। ଏନେଇ ପରିବାର ଲୋକେ ତାକୁ ଖୋଜାଖୋଜି କରିଥିଲେ। ହେଲେ କୌଣସି ପତ୍ତା ମିଳି ନ ଥିଲା ବୋଲି କହିଥିଲେ।