Categories: ଖେଳ

କ୍ଷମା ମାଗିଲା ଆଇସିସି

ଦୁବାଇ, ୧୭ା୨(ପି.ଟି.):ଟେଷ୍ଟ ଟିମ୍‌ ର଼୍ୟାଙ୍କିଙ୍ଗରେ ବୈଷୟିକ ତ୍ରୁଟି ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କ୍ଷମା ମାଗିଛି। ବୁଧବାର ପ୍ରଥମେ ଭାରତକୁ ନମ୍ବର ୧ ଟେଷ୍ଟ ଦଳ ଭାବେ ଘୋଷଣା କରିବାର କିଛି ସମୟ ପରେ ଏହାର ଅପ୍‌ଡେଟ୍‌ ତାଲିକାରେ ରୋହିତ ଶର୍ମାଙ୍କ ଦଳକୁ ନମ୍ବର ୨ ବୋଲି ଦର୍ଶାଇଥିଲା। ନାଗପୁରରେ ପ୍ୟାଟ୍‌ କୁମିନ୍ସଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ବିପକ୍ଷରେ ଇନିଂସ ଓ ୧୩୨ ରନ ବିଜୟ ପରେ ଆଇସିସି ରୋହିତଙ୍କ ଦଳକୁ ନମ୍ବର ଓ୍ବାନ୍‌ ଦଳ ବୋଲି ଘୋଷଣା କରିଥିଲା। ଗୁରୁବାର ଆଇସିସି ନିଜ ତ୍ରୁଟିକୁ ସ୍ବୀକାର କରିବା ସହ ବୈଷୟିକ ତ୍ରୁଟି ଯୋଗୁ ଆଇସିସି ଓ୍ବେବ୍‌ସାଇଟ୍‌ରେ ଭୁଲବଶତଃ ଭାରତକୁ ନମ୍ବର ଓ୍ବାନ ଦଳ ଭାବେ ଦର୍ଶାଯାଇଥିଲା ବୋଲି କହିଛି। ଏହି କାର୍ଯ୍ୟ ପାଇଁ ଆଇସିସି କ୍ଷମା ପ୍ରାର୍ଥନା ମଧ୍ୟ କରିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଜିମ୍ବାଓ୍ବେର ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ପରେ ଆଇସିସି ଏହାର ଟେଷ୍ଟ ଟିମ୍‌ ର଼୍ୟାଙ୍କିଙ୍ଗ ତାଲିକାରେ ଅପ୍‌ଡେଟ୍‌ କରିଥିଲା। ଦିଲ୍ଲୀରେ ଶୁକ୍ରବାର ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଅଷ୍ଟ୍ରେଲିଆ ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ଦଳ ଭାବେ ଖେଳିବ। ଅଷ୍ଟ୍ରେଲିଆର ରେଟିଙ୍ଗ ପଏଣ୍ଟ ବର୍ତ୍ତମାନ ୧୨୬ ରହିଥିବା ବେଳେ ଭାରତର ୧୧୫ ରହିଛି। ଭାରତ ବର୍ତ୍ତମାନ ଆଇସିସି ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ ୨୦୨୧-୨୩ ଫାଇନାଲ ଦୌଡ଼ରେ ରହିଛି। ଏହି ମର୍ଯ୍ୟାଦାପୂର୍ଣ୍ଣ ଇଭେଣ୍ଟର ଫାଇନାଲ ପାଇଁ ଅଷ୍ଟ୍ରେଲିଆ ମଧ୍ୟ ଅନ୍ୟତମ ଦାବିଦାର ରହିଛି। ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଜୁନ୍‌ ୭ରୁ ୧୧ ଲଣ୍ଡନସ୍ଥିତ ଓଭାଲଠାରେ ଖେଳାଯିବ।

Share