ସ୍ତ୍ରୀକୁ ପିଟି ପିଟି ହତ୍ୟାକଲେ ସ୍ବାମୀ

ବାଲେଶ୍ୱର ଅଫିସ,୨୯।୩: ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟି ପିଟି ମାରିଦେଲେ ସ୍ବାମୀ। ଏଭଳି ଘଟଣା ବାଲେଶ୍ବର ଜିଲା ରାଇବଣିଆ ଥାନା ଅନ୍ତର୍ଗତ ଗହୀରାବନ୍ଧ ଗ୍ରାମରେ ଘଟିଛି। ପାରିବାରିକ ବିବାଦକୁ ନେଇ ସ୍ବାମୀ ଏଭଳି କାଣ୍ଡ କରିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ଉକ୍ତ ଗ୍ରାମର ଦୁର୍ଗା ମୁର୍ମୁ ଏବଂ ତାଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କ ମଧ୍ୟ କୌଣସି କଥାକୁ ନେଇ ପାଟିତୁଣ୍ତ ହୋଇଥିଲା। ଏହା ପରେ ନିଶାସକ୍ତ ଅବସ୍ଥାରେ ଥିବା ସ୍ବାମୀ ଦୁର୍ଗା ସ୍ତ୍ରୀ ମଞ୍ଜୁଲତାଙ୍କୁ ଠେଙ୍ଗାରେ ନିସ୍ତୁକ ପିଟିଥିଲେ। ଫଳରେ ଘଟଳାସ୍ଥଳରେ ମଞ୍ଜୁଲତାଙ୍କ ମୃତ୍ୟୁ ହୋଇଯାଇଥିଲା। ପାଟିତୁଣ୍ତ ଶୁଣି ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ବାମୀ ଦୁର୍ଗାଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ରାଇବଣିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଗାଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବାର ଜଣାପଡିଛି।