ବର୍ଷାରେ ଭାଙ୍ଗିଲା ଘର,ଅସହାୟ ମା’ ଝିଅ

କୋକସରା,୩୦।୯(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ଅଧୀନ ଜଲତାମୁଣ୍ଡା ଗାଁରେ ଲଗାଣ ବର୍ଷାରେ ଏକ ଘର ଭାଙ୍ଗି ଯାଇଛି। ଏଥିରେ ଦୁଇ ବିଧବା ମା ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁସାରେ, ଗୁରୁବାର ବର୍ଷା ଯୋଗୁ ଜଲତାମୁଣ୍ଡା ଗାଁର ବିଧବା ବୃଦ୍ଧା ପଞ୍ଚମୀ ଶବର (୬୫)ଙ୍କ କୁଡିଆ ଘର ସମ୍ପୂର୍ଣ ଭାଙ୍ଗି ଯାଇଥିଲା। ବର୍ତ୍ତମାନ ବର୍ଷା ଋତୁରେ ସେମାନେ କେଉଁଠି ରହିବେ ବୋଲି ଗ୍ରାମବାସୀ ଚିନ୍ତା ପ୍ରକାଶ କରିଛନ୍ତି। ଗରିବ ବିଧବା ବୃଦ୍ଧାଙ୍କ ପକ୍ଷରେ ଘର ତିଆରି କରିବା ସମ୍ଭବ ନୁହେଁ ବୋଲି ଗ୍ରାମବାସୀ କହିଛନ୍ତି । ବିଧବା ଝିଅ ମୁଙ୍ଗେ ଶବର (୪୦) ମଧ୍ୟ ତାଙ୍କ ସହ ରୁହନ୍ତି । ଉଭୟ ମା ଝିଅ ପର ଘରେ କାମ କରି ଚଳନ୍ତି । ବୃଦ୍ଧା ପଞ୍ଚମୀଙ୍କ ଗୋଟିଏ ପୁଅ ଥିବା ବେଳେ ସେ ନିଜ ପରିବାର ସହ ଅଲଗା ରହୁଥିବା ଜଣାପଡିଛି। ଘର ଭାଙ୍ଗିବା ପରେ କୁସୁମଖୁଣ୍ଟି ରାଜସ୍ବ ନିରୀକ୍ଷକଙ୍କୁ ଜଣାଇଛନ୍ତି। ସେମାନଙ୍କୁ ତୁରନ୍ତ ପଲିଥିନ ଯୋଗାଇଦେବାର ବ୍ୟବସ୍ଥା କରାଯିବ ବୋଲି କୋକସରା ତହସିଲଦାର ମନୋଜ ପାଢ଼ୀ କହିଛନ୍ତି।