ଘର ଭାଙ୍ଗିଲା, ଧାନ ଖାଇଲା

ଖୁଣ୍ଟୁଣୀ,୨୪ା୪(ଡି.ଏନ୍‌.ଏ.): ଖୁଣ୍ଟୁଣୀ ବନାଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଏହାକୁ ନେଇ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ଗତ ଦୁଇମାସ ମଧ୍ୟରେ ହାତୀ ୪ ଜଣଙ୍କର ଘର ଭାଙ୍ଗିବା ସହ ଧାନ, ଚାଉଳ ଖାଇ ନଷ୍ଟ କରିଛନ୍ତି। ହେଲେ ହାତୀଙ୍କୁ ସମ୍ପୂର୍ଣ୍ଣମାତ୍ରାରେ ଘଉଡାଇବାରେ ବନ ବିଭାଗ ଫେଲ୍‌ ମାରିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀ ଓ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏ ଦିଗରେ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବା ପାଇଁ ସେମାନେ ଦାବି କରିଛନ୍ତି।
ଶନିବାର ରାତି ସାଢେ ୩ଟାରେ ଏକ ଦଳଛଡ଼ା ଦନ୍ତା ଖୁଣ୍ଟୁଣୀ ପଞ୍ଚାୟତର ନୃସିଂହପୁର ଗ୍ରାମରେ ପଶି ବିଧବା ମହିଳା ସଲମା ମୁର୍ମୁଙ୍କ ଘର ଭାଙ୍ଗିଦେବା ସହ ପ୍ରାୟ ୫ କୁଇଣ୍ଟାଲ ଧାନ ଖାଇ ନଷ୍ଟ କରିଥିଲା। ଏହି ସମୟରେ ସଲ୍‌ମା କୌଶଳକ୍ରମେ ଘରୁ ବାହାରି ସାହି ଲୋକଙ୍କୁ ଡାକିଥିଲେ। ଫଳରେ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ହାତୀ କାଳେ ଅନ୍ୟ ଲୋକଙ୍କ ଘର ଭାଙ୍ଗିଦେବ ସେଥିପାଇଁ ଘଉଡାଇବାକୁ କେହି ସାହସ କରି ନ ଥିଲେ। ଏ ସମ୍ପର୍କରେ ସାମାଜିକ କର୍ମୀ ମୋହନ ମୁର୍ମୁ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁଙ୍କୁ ଜଣାଇଥିଲେ। ପରେ କେତେଜଣ ଫରେଷ୍ଟର ଓ ହାତୀ ଘଉଡାଳି ଦଳ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ହାତୀକୁ ଲାଇଟ୍‌ ପକାଇ ଘଉଡାଇ ଦେଇଥିଲେ। ଫଳରେ ଦନ୍ତା ନିକଟସ୍ଥ ରାଣୀବଣିଆ ସଂରକ୍ଷିତ ଜଙ୍ଗଲକୁ ପଳାଇ ଯାଇଥିଲା। ଅପରପକ୍ଷରେ ଦନ୍ତା ଧାନ ଖାଇବା ସହ ଘର ଭାଙ୍ଗିଦେବାରୁ ସଲମା ଚିନ୍ତାରେ ପଡିଛନ୍ତି। ତାଙ୍କର ୨ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ସେମାନଙ୍କୁ ମୁଠାଏ ଦାନା ଓ ପିନ୍ଧିବାକୁ ବସ୍ତ୍ର ଯୋଗାଇବା ପାଇଁ ସଲ୍‌ମା ଏକମାତ୍ର ଭରସା। ତେଣୁ ତାଙ୍କୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ଖୁଣ୍ଟୁଣୀ ସରପଞ୍ଚ କୈଳାସ ଚନ୍ଦ୍ର ଦାସ ଓ ସାମାଜିକ କର୍ମୀ ମୋହନ ଦାବି କରିଛନ୍ତି। ଏ ସମ୍ପର୍କରେ ବନାଞ୍ଚଳ ଅଧିକାରୀ ସାହୁ କହିଛନ୍ତି, ସଲ୍‌ମା ଆବେଦନ କଲେ ତଦନ୍ତ କରାଯାଇ ଉପଯୁକ୍ତ କ୍ଷୟକ୍ଷତି ପ୍ରଦାନ କରାଯିବ।