ଲଗାଣ ବର୍ଷାରେ ଭାଙ୍ଗିଲା ଘର, ୨ ପରିବାର ବାସହୀନ

କୋକସରା,୧୩ା୭(ଡି.ଏନ୍‌.ଏ.): ଲଗାଣ ବର୍ଷାରେ କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଭିର୍କାପଡ଼ାର ୨ ଗରିବ ପରିବାରଙ୍କ ଘର ଭାଙ୍ଗି ଯାଇଛି। ଫଳରେ ପରିବାରକୁ ଧରି ନିରାଶ୍ରୟ ହୋଇ ଭଙ୍ଗା ଘରର ଏକ କୋଣରେ ଆଶ୍ରୟ ନେଇଛନ୍ତି। ଅଭିଯୋଗ ଅନୁସାରେ, ଭିର୍କାପଡ଼ାର ଟଙ୍କଧର ଧଙ୍ଗଡ଼ା ମାଝି ଓ କୁମୁଦ ଚନ୍ଦ୍ର ଧଙ୍ଗଡା ମାଝି ଗରିବ ଶ୍ରେଣୀର ହୋଇଥିବା ବେଳେ ଦୀର୍ଘବର୍ଷ ଧରି ଆବାସ ଘର ପାଇଁ ସ୍ଥାନୀୟ ପଞ୍ଚାୟତ ଅଧିକାରୀ ସମେତ ସରପଞ୍ଚଙ୍କୁ ହାରି ଗୁହାରି କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ମିଳିନାହିଁ। ଲଗାଣ ବର୍ଷାରେ ଦୁଇ ପରିବାର ଘର ଭାଙ୍ଗିଯିବା ପରେ ଟଙ୍କଧର ସ୍ତ୍ରୀ ଦେବକୀ, ଝିଅ ମନୋରମା, ପୁଅ ବୈଷ୍ଣବ ଓ ବିଧବା ମା’ ବାଳମତୀ  ଏଭଳି ୫ ପ୍ରାଣୀ ଦୟନୀୟ ସ୍ଥିତିରେ ରହୁଥିବା ଟଙ୍କଧର ପ୍ରକାଶ କରିଛନ୍ତି। ଟଙ୍କଧର୍‌ଙ୍କ ମା ବାଲମତୀଙ୍କ ସ୍ବାମୀ ମୃତ୍ୟୁ ହେବାର ୭ ବର୍ଷ ବିତି ଯାଇଥିଲେ ହେଁ ଆବାସ ଯୋଜନାରେ ଘର ଖଣ୍ଡେ ମିଳିବାରୁ ବଞ୍ଚିତ ଥିବାରୁ ସେ ମଧ୍ୟ ଘର ଭାଙ୍ଗିବା ପରେ ଏବେ ବେଘର ହୋଇପଡ଼ିଛନ୍ତି । ଅନ୍ୟପକ୍ଷରେ କୁମୁଦ ଚନ୍ଦ୍ର ଧଙ୍ଗଡ଼ା ମାଝି ମଧ୍ୟ ସ୍ତ୍ରୀ ଜୟନ୍ତୀ, ଦୁଇ ଝିଅ କୌଶଲ୍ୟା, ଡୋଲେଶ୍ୱରୀ, ପୁଅ ଗୁଣନିଧି ଓ ମା’ ହେମଙ୍କ ସହ ରହୁଥିଲେ। ତାଙ୍କ ଘର ମଧ୍ୟ ବର୍ଷାରେ ଭାଙ୍ଗିଯିବା ପରେ ସେ ବେସାହାରା ହୋଇ ପଡିଛନ୍ତି। ଏନେଇ ଲଡୁଗାଁ ରାଜସୱ ନିରୀକ୍ଷିକା ମମତା ସାଏଙ୍କୁ ପଚାରିବାରୁ ଦୁଇ ପରିବାରଙ୍କ ଘର ଭାଙ୍ଗିଛି ଓ ସେମାନଙ୍କୁ ସରକାରୀ ନିୟମ ଅନୁସାରେ ସହାୟତା ଯୋଗାଇ ଦିଆଯିବ କହିଛନ୍ତି। ତେବେ ଦୁଇ ପରିବାରକୁ ଆବାସ ଯୋଜନାରେ ସାମିଲ କରି ମୁଣ୍ଡ ଗୁଞ୍ଜିବାକୁ ଘର ଯୋଗାଇ ଦେବା ପାଇଁ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।