ଖାଦ୍ୟ ନାଁରେ ଜହର ବିକୁଛନ୍ତି ହୋଟେଲ ମାଲିକ

କୋରେଇ,୧୮ା୯(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ପାଣିକୋଇଲି ନିକଟରୁ ଏନ୍‌ଏଚ୍‌ ୨୦ ରଗଡ଼ି ଛକ ଓ ଯାଜପୁର ରୋଡ୍‌ ଆଦି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବେଆଇନଭାବେ ଶତାଧିକ ହୋଟେଲ ଓ ଢାବା ସହିତ ହଜାରରୁ ଊର୍ଦ୍ଧ୍ୱ ଫାଷ୍ଟଫୁଡ଼ ଦୋକାନ ଗଢ଼ିଉଠିଛି। ଏଠାରେ ଖାଦ୍ୟ ନାଁରେ ଲୋକଙ୍କୁ ଜହର ଦିଆଯାଉଥିବା ଅଭିଯୋଗ ହୋଇଛି। ମାଲିକମାନେ ସାଧାରଣ ଲୋକଙ୍କୁ ଲୁଟିବାରେ ବ୍ୟସ୍ତ ରହୁଛନ୍ତି। ବଡ଼କଥା ହେଉଛି ୯୦ ପ୍ରତିଶତ ହୋଟେଲରେ ଫୁଡ୍‌ ସେଫ୍ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଏସ୍‌ଏଆଇ)ର ଲାଇସେନ୍ସ ନାହିଁ। ଖାଦ୍ୟ ନିରାପତ୍ତା ବିଭାଗର କେତେଜଣ ଅଧିକାରୀଙ୍କୁ ମାସିକ ହାତଗୁଞ୍ଜା ଦେଇ ଅଧିକାଂଶ ହୋଟେଲ ସୁରକ୍ଷିତ ଭାବେ ଚାଲୁଛି। ଶତାଧିକ ହୋଟେଲରେ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରାଯାଇ ଗ୍ରାହକଙ୍କୁ ଦିଆଯାଉଛି। ଅନେକସ୍ଥାନରେ ଦିନେ ରୋଷେଇ କରି ଉକ୍ତ ଖାଦ୍ୟକୁ ଶେଷ ନ ହେବା ଯାଏ ୪-୫ ଦିନ ରଖି ବିକ୍ରି କରାଯାଉଛି। ସେହିପରି ଅନେକ ଫାଷ୍ଟଫୁଡ ଦୋକାନୀ ମଧ୍ୟ କ୍ଷତିରୁ ବଞ୍ଚିବାକୁ ଏହି ପ୍ରଣାଳୀ ଆପଣାଉଥିବା ପରିଲକ୍ଷିତ ହେଉଛି। ଫଳରେ ଏହାର ପ୍ରଭାବ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡୁଛି। ହୋଟେଲ ଓ ଫାଷ୍ଟଫୁଡ଼ ଦୋକାନଗୁଡ଼ିକର ବାସୀ ଖାଦ୍ୟ ଖାଇ ହଜାର ହଜାର ଲୋକ ରୋଗଗ୍ରସ୍ତ ହେଉଥିବା ନଜରକୁ ଆସୁଛି। ଜିଲା ସ୍ବାସ୍ଥ୍ୟ ବିଭାଗ କିମ୍ବା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ ଥିବାରୁ ହୋଟେଲ ମାଲିକମାନେ ବାସୀ ଖାଦ୍ୟ ଲୋକଙ୍କୁ ପରଷୁଛନ୍ତି।
କେବେ କେମିତି ଚଢ଼ାଉ କରି ସାମାନ୍ୟ ଅର୍ଥ ଆଦାୟ କରି ଖାଦ୍ୟ ନିରାପତ୍ତା ବିଭାଗର ଅଧିକାରୀ ନିଜ ପକେଟ ଗରମ କରି ଚାଲିଯାଉଥିବା ଚର୍ଚ୍ଚା ହେଉଛି। ଫଳରେ ହୋଟେଲ ମାଲିକଙ୍କ ମନମାନି ବଢ଼ି ଚାଲିଛି। ଗ୍ରାହକଙ୍କୁ ମନ ମୁତାବକ ବାସୀ ଖାଦ୍ୟ ବିକ୍ରି କରି ମୋଟା ଅଙ୍କର ଅର୍ଥ ଅସୁଲ କରାଯାଉଛି। ବିଶେଷ କରି ଯାଜପୁର ଜିଲାରେ ଏହା ବଢ଼ି ଚାଲିଛି। ସେହିପରି ଯାଜପୁର ରୋଡର କେତେକ ହୋଟେଲରେ ସୁସ୍ବାଦୁ ଖାଦ୍ୟ ପାଇଁ ବ୍ୟାପକ ଭାବେ କେମିକାଲ ତଥା ରାସାୟନିକ ପଦାର୍ଥ ମିଶାଇ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ଏହାକୁ ଯାଞ୍ଚ କରାଯାଉନାହିଁ। ଟଙ୍କା ଦେଇ ଲୋକେ ଖାଦ୍ୟ ନାମରେ ଜହର କିଣୁଥିବା ଅଭିଯୋଗ ହେଉଛି। ଫଳରେ ଜିଲା ସ୍ବାସ୍ଥ୍ୟ ଓ ଖାଦ୍ୟ ନିରାପତ୍ତା ବିଭାଗ ନିଷ୍କ୍ରିୟ ଥିବା ପରି ମନେ ହେଉଛି। ଏ ସମ୍ପର୍କରେ ଖାଦ୍ୟ ନିରାପତ୍ତା ବିଭାଗ ଅଧିକାରୀ ରକେଶ କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ଜିଲା ଦାୟିତ୍ୱରେ ଅଛନ୍ତି। ହେଲେ କର୍ମଚାରୀ ଅଭାବରୁ ସେତେଟା ଧରପଗଡ଼ ହୋଇପାରୁନାହିଁ। ଯେଉଁ ଅଞ୍ଚଳରୁ ଅଭିଯୋଗ ଆସୁଛି ସେଠାରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଅନ୍ୟପକ୍ଷରେ ଜିଲାର ସମସ୍ତ ଅଞ୍ଚଳରେ ଚଢ଼ାଉ କରାଯିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି।