Categories: ଖେଳ

ନୀରଜଙ୍କୁ ପ୍ରଶଂସା କଲେ ହକି ଅଧିନାୟକ

ଟୋକିଓ,୮।୮: ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିତ୍ବା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ଟୋକିଓରେ ଭାରତୀୟ ଅଲିମ୍ପିକ୍ସ ଦଳ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ହକି ଅଧିନାୟକ ମନପ୍ରୀତ ସିଂଙ୍କ ସମେତ ଟୋକିଓରେ ଏବେ ରହିଥିବା ଅନ୍ୟ ଅଲିମ୍ପକ୍ସ ଖେଳାଳିମାନେ ଓ ଅଫିସିଆଲମାନେ ନୀରଜଙ୍କ ଏହି ସଫଳତାକୁ ଐତିହାସିକ ବୋଲି କହିଛନ୍ତି। ଅଲିମ୍ପିକ୍ସ କ୍ରୀଡ଼ାଗ୍ରାମରେ ଶନିବାର ରାତିରେ ଏକ ଛୋଟିଆ ଉତ୍ସବରେ ନୀରଜଙ୍କ ସଫଳତାକୁ ଭୂୟସୀ ପ୍ରଶଂସା କରାଯାଇଥିଲା। ଏହି ଅବସରରେ ଏକ କେକ୍‌ ମଧ୍ୟ କଟାଯାଇଥିଲା। ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ଭାରତର ଏହି ପ୍ରଥମ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ହାସଲକୁ ମନପ୍ରୀତ ପ୍ରଶଂସା କରିଥିଲେ।

ଏବେ ସାରା ଦେଶରେ କେବଳ ନୀରଜଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଦୀର୍ଘବର୍ଷ ଧରି ନୀରଜ କଠିନ ପରିଶ୍ରମ କରିଆସିଥିଲେ ଓ ଏବେ ସେ ତାଙ୍କର ଫଳ ପାଇଛନ୍ତି। ସ୍ବର୍ଣ୍ଣ ପଦକ ହାସଲ କରିବାକୁ ସେ ଯୋଗ୍ୟ ବୋଲି ମନପ୍ରୀତ କହିଛନ୍ତି। ତାଙ୍କ ପାଇଁ ଦେଶ ଗର୍ବିତ। ଏହା ବ୍ୟତୀତ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିଥିବା ସବୁ ଖେଳାଳିଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ମନପ୍ରୀତ କହିଛନ୍ତି। ମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ହକି ଦଳ ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ହାସଲ କରି ଇତିହାସକୁ ଦୋହରାଇଛି। ପୂରା ଅଲିମ୍ପିକ୍ସରେ ଭାରତୀୟ ଆଥଲେଟମାନଙ୍କର ଯତ୍ନ ନେବାସହ ବିଭିନ୍ନ ଆବଶ୍ୟକତା ପୂରଣ କରିଥିତ୍ବା ଅଫିସିଆଲମାନଙ୍କୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି। ଭାରତୀୟ ଦଳର ଅଧିକାଂଶ ଖେଳାଳି ସୋମବାର ସକାଳେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

 

Share