ପାହାଡ଼ ଭାଙ୍ଗିଲେ, ଯୋର ରାସ୍ତା ବନ୍ଦ କରାଇଲେ

ନୟାଗଡ଼ ଅଫିସ,୨୮ା୧୧: ନୟାଗଡ଼ ପୁରୁଣା ସହରରେ ଚାଲିଛି ବେଆଇନ ନିର୍ମାଣ l ଜଣେ ବ୍ୟକ୍ତି ପାହାଡ଼ ଭାଙ୍ଗି ଯୋର ରାସ୍ତାକୁ ବନ୍ଦ କରାଇ ବେଆଇନ ଭାବେ ଘର ନିର୍ମାଣ କରୁଛନ୍ତି l
ପୁଣି ଯୋର ରାସ୍ତା ବନ୍ଦ ପରେ ପାହାଡ଼ ଜଳ ନିଷ୍କାସନ ବନ୍ଦ ହେବା ବିରୋଧରେ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି l ଅଭିଯୋଗ ଅନୁସାରେ ପୁରୁଣା ସହର ଉପରେ ଥିବା ପାହାଡ଼କୁ ଭାଙ୍ଗି କେତେଜଣ ବ୍ୟକ୍ତି ଜବରଦଖଲ କରିବା ସହ ନିର୍ମାଣ କାର୍ଯ୍ୟ କରୁଛନ୍ତି l ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରାଯାଉ ନ ଥିବାରୁ ନୟାଗଡ଼ ପୁରୁଣା ସହରରେ ମୁଣ୍ଡିଆ ଉପରେ ବେଆଇନ ଭାବେ ପାହାଡ଼ ଖୋଳି ଲୋକେ ଘର ନିର୍ମାଣ କରୁଛନ୍ତି l ନୟାଗଡ଼ ରଥଗଡା ସାହି ୬ନଂ. ୱାର୍ଡରେ ଜଣେ ବ୍ୟକ୍ତି ବେଆଇନ ଭାବେ ଏପରି କରୁଥିବା ସଂକ୍ରାନ୍ତରେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତି ନୟାଗଡ଼ର ପୌର କର୍ତ୍ତୃପକ୍ଷ ଓ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି l ପାଣିଗ୍ରାହୀଙ୍କ ପଡୋଶୀ ବେଆଇନ ଭାବେ ପାହାଡ଼ ଉପରେ ଘର ନର୍ମାଣ କରୁଛନ୍ତି l

ଏହାଦ୍ୱାରା ପାହାଡ଼ ପାଣି ଯିବା ପାଇଁ ରହିଥିବା ଯୋର ପ୍ଲଟ ନମ୍ବର ୧୦୩୧କୁ ମଧ୍ୟ ଜବରଦଖଲ କରି ନିର୍ମାଣ କାମ କରୁଛନ୍ତି l ଫଳରେ ଭବିଷ୍ୟତରେ ପାହାଡ଼ ପାଣି ନିଷ୍କାସନ ନ ହୋଇ ଆଖପାଖ ଲୋକଙ୍କ ଘର ଭାଙ୍ଗିବାର ଆଶଙ୍କା ସୃଷ୍ଟି ହୋଇଥିବା ସେ ଅଭିଯୋଗ କରିଛନ୍ତି l