Categories: ଜାତୀୟ

ଡୋର୍‌ ଟୁ ଡୋର୍‌ ରାଶନ ବିତରଣ ଯୋଜନା ରଦ୍ଦ କଲେ ହାଇକୋର୍ଟ

ନୂଆଦିଲ୍ଲୀ,୧୯।୫: ଦିଲ୍ଲୀ ହାଇକୋର୍ଟରୁ ଅରବିନ୍ଦ କେଜ୍‌ରିୱାଲ ସରକାରଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ଦିଲ୍ଲୀ ସରକାରଙ୍କ ଡୋର୍‌ ଟୁ ଡୋର୍‌ ରାଶନ ବିତରଣ ଯୋଜନାକୁ କୋର୍ଟ ରଦ୍ଦ କରିଛନ୍ତି। କାର୍ଯ୍ୟକାରୀ ପ୍ରଧାନ ବିଚାରପତି ବିପିନ ସାଂଘି ଏବଂ ଜଷ୍ଟିସ ଜସ୍ମିନ ସିଂ ଗୁରୁବାର ଏହି ରାୟ ଦେଇଛନ୍ତି।
ଡୋର୍‌ ଟୁ ଡୋର୍‌ ରାଶନ ବିତରଣ ପାଇଁ ଦିଲ୍ଲୀ ସରକାର ଆଉ ଏକ ଯୋଜନା ଆଣିପାରିବେ ବୋଲି ହାଇକୋର୍ଟ କହିଛନ୍ତି। କିନ୍ତୁ କେନ୍ଦ୍ର ସରକାର ଦେଇଥିବା ଖାଦ୍ୟ ଶସ୍ୟ ସହିତ ଏହି ଯୋଜନାକୁ ଚଲାଇପାରିବ ନାହିଁ। ଏହି ଯୋଜନାକୁ ବିରୋଧ କରି ଦିଲ୍ଲୀ ସରକାରୀ ରାଶନ ଡିଲର ଏବଂ ଦିଲ୍ଲୀ ରାଶନ ଡିଲର ୟୁନିଅନ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ। ଜାନୁଆରୀରେ କୋର୍ଟ ଏହି ରାୟ ସଂରକ୍ଷଣ କରିଥିଲେ।
ଏହାପୂର୍ବରୁ ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ଆମ ଆଦମୀ ପାର୍ଟି (ଏଏପି) ସରକାରଙ୍କ ଡୋର୍‌ ଟୁ ଡୋର୍‌ ରାଶନ ବିତରଣ ଯୋଜନା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହି ଯୋଜନା ଅଧୀନରେ କେଜ୍‌ରିଓ୍ବାଲ୍‌ ସରକାର ରାଶନ ସାମଗ୍ରୀ ଘରେ ଘରେ ପହଞ୍ଚାଇବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

Share