ଏସ୍‌ପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋଣାର୍କ,୧୯।୧(ଡି.ଏନ୍‌.ଏ.): କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରୁ ବାଲି ଚୋରି ଘଟଣାରେ ୪ ସପ୍ତାହ ମଧ୍ୟରେ ତଦନ୍ତ ସାରିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି ଘଟଣା ସମ୍ପର୍କରେ କୋଣାର୍କ ଆଞ୍ଚଳିକ ବିକାଶ ପରିଷଦ ସଭାପତି ସୁବାସ ନାୟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୂଚନା ଥାଉକି, ଗତ ଡିସେମ୍ବର ୮ତାରିଖ ବିଳମ୍ବିତ ରାତିରେ ସୂର୍ଯ୍ୟମନ୍ଦିର ପରିସରରୁ ବାଲି ଓ ମୂଲ୍ୟବାନ ପଥର ଚୋରା ଚାଲାଣ ହୋଇଥିବା କୋଣାର୍କ ଥାନାରେ ଅଭିଯୋଗ ହୋଇଥିଲା। କୋଣାର୍କ ସୁରକ୍ଷା ସମିତି ଓ କୋଣାର୍କ ଆଞ୍ଚଳିକ ବିକାଶ ପରିଷଦ ଏହି ଅଭିଯୋଗ ଆଣିଥିଲେ। ସୂର୍ଯ୍ୟମନ୍ଦିର ପରିସରରୁ ପ୍ରାୟ ୨୦୦ ଟ୍ରିପରୁ ଅଧିକ ବାଲି ମେଶିନ ସାହା୍ଯଯରେ ଚୋରା ଚାଲାଣ ହୋଇ ଏଏସଆଇ ବିଭାଗର କର୍ମଚାରୀଙ୍କ ବାସଭବନ ପରିସରରେ ଏହି ବାଲି ଓ ପଥର ପକାଇଥିବା ଜଣାପଡିଥିଲା। ଅଭିଯୋଗକ୍ରମେ ଗୋପ ତହସିଲଦାର ପ୍ରାଥମିକ ତଦନ୍ତ କରିଥିଲେ। ଗତ ଡିସେମ୍ବର ୧୧ରେ ସୁରକ୍ଷା ସମିତି ଓ ବିକାଶ ପରିଷଦ ପକ୍ଷରୁ ଏ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ, ଏଏସଆଇ ଡିଜି, ମୁଖ୍ୟମନ୍ତ୍ରୀ, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଅନ୍ୟପକ୍ଷେ ଭିଆଇପି ପାର୍କିଂ ନିମନ୍ତେ ଏଠାରୁ ବାଲି କଢାଯାଇ ସମତୁଲ କରାଯାଇଥିବା ଏଏସ୍‌ଆଇ ଅଧିକାରୀ କହିଥିଲେ। ପରେ ଏହି ଅଭିଯୋଗର ହାଇକୋର୍ଟ ଶୁଣାଣି କରି ପୁରୀ ଏସ୍‌ପିଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦେଇ ଖୁବଶୀଘ୍ର ରିପୋର୍ଟ ଦେବାକୁ ଉଲ୍ଲେଖ ରହିଛି।