Categories: ଜାତୀୟ

ସେପ୍ଟେମ୍ବର ୧୩କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ, ୨୪।୮(ବ୍ୟୁରୋ): ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଲୋକାୟୁକ୍ତ ପକ୍ଷରୁ ସୁପ୍ରିମକୋର୍ଟରେ ଆଗତ ମାମଲାର ଶୁଣାଣି ସେପ୍ଟେମ୍ବର ୧୩କୁ ଘୁଞ୍ଚତ୍ଛି। ବିଚାରପତି ଅଜୟ ରସ୍ତୋଗୀ ଏବଂ ଅଭୟ ଏସ୍‌. ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମଙ୍ଗଳବାର ଶୁଣାଣି ସମୟରେ ପ୍ରଦୀପଙ୍କ ଓକିଲ ଲୋକାୟୁକ୍ତରେ ଚାଲିଥିବା ମାମଲା ଉପରେ ସ୍ଥଗିତାଦେଶ ଜାରି କରିବାକୁ କହିଥିଲେ। ଅପରପକ୍ଷରେ ଲୋକାୟୁକ୍ତଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ କହିଥିଲେ ଯେ, ମାମଲାର ତଦନ୍ତ ଶେଷ ହୋଇଯାଇଛି। ଲୋକାୟୁକ୍ତ ମଧ୍ୟ ସର୍ବୋଚ୍ଚ ଅଦାଲତଙ୍କୁ ଅବଗତ ନ କରାଇ ମାମଲା ଆଗକୁ ନେବେ ନାହିଁ। ଏପରି କି ମାମଲାର ପ୍ରାଥମିକ ତଦନ୍ତ ସମୟରେ ପ୍ରଦୀପଙ୍କ ବିରୋଧରେ ବହୁ ଆପତ୍ତିଜନକ ତଥ୍ୟ ହସ୍ତଗତ ହୋଇଥିଲା ବୋଲି ଲୋକାୟୁକ୍ତ ପୂର୍ବରୁ ସୁପ୍ରିମକୋର୍ଟରେ ଅବଗତ କରାଇଥିବା ନେଇ ଓକିଲ କହିଥିଲେ। ଏହାପରେ ଖଣ୍ଡପୀଠ ମାମଲାର ଶୁଣାଣିକୁ ଆସନ୍ତା ୧୩କୁ ଧାର୍ଯ୍ୟ କରିଛନ୍ତି।
ଦୁର୍ନୀତି ଅଭିଯୋଗରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରିଥିଲା। ତେଣୁ ଭିଜିଲାନ୍ସକୁ ପ୍ରିଲିମିନାରୀ ଏନ୍‌କ୍ୱାରି ରିପୋର୍ଟ ଦେବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ଓଡ଼ିିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଲୋକାୟୁକ୍ତ ସୁପ୍ରିମକୋର୍ଟରେ ଏକ ସ୍ପେସିଆଲ୍‌ ଲିଭ୍‌ ପିଟିଶନ ଦାଖଲ କରିଛନ୍ତି। ତେବେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭିଜିଲାନ୍ସ ଏନ୍‌କ୍ୱାରି କରିପାରିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଗତ ବର୍ଷ ଏପ୍ରିଲ ୨୩ରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେଇଥିଲେ। ଏବେ ମାମଲାର ଚୂଡ଼ାନ୍ତ ରାୟକୁ ଅପେକ୍ଷା।

Share