ଖାଦ୍ୟ ଅନୁଧ୍ୟାନ କଲେ ସ୍ବାସ୍ଥ୍ୟ କର୍ମଚାରୀ

ଜଗତ୍‌ସିଂହପୁର ଅଫିସ, ୯ା୧୧: ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ଘାଟଠାରେ ମଙ୍ଗଳବାର ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି। ଏନେଇ ସେଠାରେ ଗୁପଚୁପ ସାଙ୍ଗକୁ ଉଠା ଜଳଖିଆ ଦୋକାନ ଦେଖିବାକୁ ମିଳିଥିଲା। ସେସବୁ ଖାଦ୍ୟ କିପରି ରହିଛି ତାହା ଅନୁଧ୍ୟାନ ପାଇଁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଡା. କ୍ଷେତ୍ରବାସୀ ଦାଶ, ସ୍ବାସ୍ଥ୍ୟ ନିରାପତ୍ତା ଅଧିକାରୀ ସମିତା ଦାସଙ୍କ ସମେତ ପ୍ରଜନନ ଓ ଶିଶୁ ସ୍ବାସ୍ଥ୍ୟ ଡେପୁଟୀ ପରିଚାଳକ ସୁକାନ୍ତ ପ୍ରଧାନ ଓ ନାଉଗାଁ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ସେଠାରେ ପହଞ୍ଚତ୍ଥିଲେ । ସେମାନେ ୧୬ଟି ଦୋକାନ ଦେଖିବା ସହ ପରିସ୍କାର, ପରିଚ୍ଛନ ରଖିବାକୁ ବୁଝାଇଥିଲେ। କେତୋଟି ଦୋକାନ ଫୁଡ ଲାଇସେନ୍ସ କରି ନ ଥିବାରୁ ସିଡିଏମ୍‌ଓ ଅସନ୍ତୋଷ ବ୍ୟକ୍ତ କରିବା ସହ ଜରିମାନା ଆଦାୟ କରିଥିଲେ। ଏଥିସହ ଆଗାମୀ ୭ ଦିନ ମଧ୍ୟରେ ଫୁଡ ଲାଇସେନ୍ସ କରିବାକୁ ପରାମର୍ଶ ଦେଇଥିଲେ।