କରୋନାକୁ ନେଇ ସତର୍କ କରାଇଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ରାଜ୍ୟ ସରକାର କରୋନା କଟକଣାକୁ ଗତମାସରେ ସମ୍ପୂର୍ଣ୍ଣ ହଟାଇ ଦେଇଥିବା ବେଳେ ରାଜ୍ୟକୁ ପୁଣି ଫେରିଛି କରୋନା। ତେବେ ଓଡ଼ିଶାରେ ବୁଧବାର କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବାର ଅଭିଯୋଗ ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କରୋନା ସଂକ୍ରମଣ ଉପରେ କଡ଼ା ନଜର ରଖିବାକୁ ସମସ୍ତ ଜିଲାର ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ।

ଉକ୍ତ ଚିଠିରେ ସମ୍ଭାବ୍ୟ କରୋନା ପରିସ୍ଥିତିକୁ ନେଇ ସେ ସତର୍କ କରାଇ ଦେଇଛନ୍ତି। ଏଥିସହିତ କରୋନା-୧୯ ପରିସ୍ଥିତି ପୁଣିଥରେ ଚାଇନା, ଜାପାନ, ଆମେରିକା, ବ୍ରାଜିଲ ଓ କୋରିଆରେ କାୟା ବିସ୍ତାର କରିଲାଣି। ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଚଳିତବର୍ଷ ଜୁନ୍‌ରେ ଜାରି ହୋଇଥିବା ସଂଶୋଧିତ ନୀତିକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଏତଦ୍‌ବ୍ୟତୀତ ଫାଇଭ୍‌-ଟି ଯଥା ଟେଷ୍ଟିଂ, ଟ୍ରାକିଂ, ଟିକାକରଣ ଓ କଣ୍ଟାକ୍ଟ ଟ୍ରେସିଂ ସହିତ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କ ନମୁନା ପରୀକ୍ଷା ଓ ନୂଆ ଭାଇରସ ଚିହ୍ନଟ ହେଲେ ତୁରନ୍ତ ସେମାନଙ୍କର ଚିକିତ୍ସା କରିବା ଓ କଣ୍ଟେନମେଣ୍ଟ୍‌ ପାଇଁ ପଦକ୍ଷେପ ନେବାକୁ ବି କୁହାଯାଇଛି।