ସ୍ବାସ୍ଥ୍ୟକେନ୍ଦ୍ର କ୍ୱାର୍ଟର୍ସ କାମ ସରୁନି

ଭୁବନ, ୧୧।୬(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଏବଂ କର୍ମଚାରୀଙ୍କ ରହିବା ଲାଗି ୨୦୧୪ରୁ ଆରମ୍ଭ ହୋଇଥିଲା କ୍ୱାର୍ଟର୍ସ ନିର୍ମାଣ କାର୍ଯ୍ୟ। ଏଥିଲାଗି ବ୍ୟୟ ଅଟକଳ ହୋଇଥିଲା ପ୍ରାୟ କୋଟିଏ ଟଙ୍କା। ଇତିମଧ୍ୟରେ ବିତିଗଲାଣି ଦୀର୍ଘ ୮ବର୍ଷ। ହେଲେ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଛି। ଠିକାଦାର ଅଧାରୁ କାମ ଛାଡ଼ି ଚାଲିଯିବା ପରେ ଏହି ପ୍ରକଳ୍ପ କାମ ଆଗେଇପାରୁନାହିଁ। ଫଳରେ ୪ର୍ଥ ଶ୍ରେଣୀ କର୍ମଚାରୀମାନେ କ୍ୱାର୍ଟର୍ସ ନ ପାଇ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଅସନ୍ତୋଷ ତୀବ୍ର ହେଉଥିବାବେଳେ ଏବେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଭୁବନ ବରିଷ୍ଠ ନାଗରିକ ଜନସ୍ବାର୍ଥ ସୁରକ୍ଷା ଟ୍ରଷ୍ଟ।
ଡାକ୍ତରଖାନା କ୍ୟାମ୍ପସ୍‌ରେ ଡାକ୍ତର ଏବଂ କର୍ମଚାରୀମାନେ ରହିଲେ ଜରୁରିକାଳୀନ ସମୟରେ ରୋଗୀଙ୍କୁ ତ୍ୱରିତ ଚିକିତ୍ସା ସେବା ମିଳିପାରିବ। ଏଭଳି ମହତ୍‌ ଉଦ୍ଦେଶ୍ୟ ରଖି ୨୦୧୪ ସେପ୍ଟେମ୍ବରରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କ୍ୟାମ୍ପସ୍‌ରେ ୧୮ଟି କ୍ୱାର୍ଟର୍ସ ନିର୍ମାଣ ଆରମ୍ଭ ହୋଇଥିଲା। ସେଥିରୁ ୬ଟି ଡାକ୍ତର, ୪ଟି ଷ୍ଟାଫ୍‌ ନର୍ସ, ଫାର୍ମାସିଷ୍ଟ ଏବଂ ଅବଶିଷ୍ଟ ୮ଟି ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପଞ୍ଚାୟତ ସମିତି ଜରିଆରେ ଏଥିଲାଗି ବ୍ୟୟ ଅଟକଳ କରାଯାଇଥିଲା ୯୯ ଲକ୍ଷ ୯୦ ହଜାର ଟଙ୍କା। ତେବେ କୌଣସି କାରଣରୁ ଠିକାଦାର କାମ ଅଧାରୁ ବନ୍ଦ କରି ଦେଇଦେଲେ। ଡାକ୍ତରମାନଙ୍କ ରହିବାରେ ସମସ୍ୟା ଏବଂ ରୋଗୀ ସେବା ପ୍ରଭାବିତ ହେବାରୁ ରୋଗୀ କଲ୍ୟାଣ ସମିତି ଅର୍ଥ ବିନିଯୋଗରେ ୧୦ କ୍ୱାର୍ଟର୍ସ ନିର୍ମାଣ ଶେଷ ହୋଇଛି। ଏବେ ସେଠାରେ ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫ୍‌ନର୍ସ ରହୁଛନ୍ତି। ତେବେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଲାଗି ଉଦ୍ଦିଷ୍ଟ ଅବଶିଷ୍ଟ ୮ କ୍ୱାର୍ଟର୍ସ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିଛି। ପାଣି, ଶୌଚାଳୟ, ବିଦ୍ୟୁତ୍‌ ସଂଯୋଗ ଦିଆଯାଇନାହିଁ। ଦୀର୍ଘଦିନ ଧରି କାମ ଶେଷ ହେଉ ନ ଥିବାରୁ ସେସବୁ ଏବେ ପରିତ୍ୟକ୍ତ ହୋଇ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାବେଳେ କର୍ମଚାରୀମାନେ ଭଡ଼ା ଦେଇ ବାହାରେ ରହୁଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପଦକ୍ଷେପ ନିଆଯାଉନାହିଁ। କର୍ମଚାରୀମାନେ ବାହାରେ ରହି ଯିବା ଆସିବା କରିବା ଯୋଗୁ ରୋଗୀସେବା ପ୍ରଭାବିତ ହେଉଛି। ଏହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛି ବରିଷ୍ଠ ନାଗରିକ ଜନସ୍ବାର୍ଥ ସୁରକ୍ଷା ଟ୍ରଷ୍ଟ। ୧୫ଦିନ ମଧ୍ୟରେ ଏହାର ପ୍ରତିକାର ନ ହେଲେ ଆନ୍ଦୋଳନ କରାଯିବ ବୋଲି ମ୍ୟାନେଜିଂ ଟ୍ରଷ୍ଟି ରଥ ସେଠୀ, ସଭାପତି ବ୍ରଜ ରାଉତ, ସମ୍ପାଦକ ଦୁର୍ଗାପ୍ରସାଦ ପୃଷ୍ଟି ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ ସେମାନେ ବିଡିଓ, ଡାକ୍ତରଖାନା ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି।
ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ମନୋଜ କୁମାର ମହାନ୍ତି କୁହନ୍ତି, କ୍ୱାର୍ଟର୍ସଗୁଡିକ ଦୀର୍ଘଦିନ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଥିଲା। ରୋଗୀ କଲ୍ୟାଣ ସମିତି ଅର୍ଥ ବିନିଯୋଗରେ ଡାକ୍ତରଙ୍କ ରହିବା ଲାଗି ଉଦ୍ଦିଷ୍ଟ କ୍ୱାର୍ଟର୍ସ ମଧ୍ୟରୁ କେତେକ ମରାମତି କରାଯାଇଛି। ହେଲେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ୱାର୍ଟର୍ସଗୁଡ଼ିକ ପୂର୍ଣ୍ଣାଙ୍ଗ ହୋଇ ନ ଥିବାରୁ ସମସ୍ୟା ଉପୁଜିଛି। ବ୍ଲକ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି। ଏ ନେଇ ବିଡିଓ ଆଶୀର୍ବାଦ ପରିଡ଼ା କୁହନ୍ତି, ଅଭିଯୋଗ ମିଳିଛି। ଯଥାଶୀଘ୍ର ତଦନ୍ତ କରି ସମସ୍ୟାର ସମାଧାନ କରାଯିବ।