କୋରାପୁଟ,୨୩।୨(ସ୍ବ.ପ୍ର): କୋରାପୁଟ ବ୍ଲକ ଅନ୍ତର୍ଗତ ଡୁମୁରିପୁଟ ରେଳ ଷ୍ଟେଶନ ଶୌଚାଳୟରୁ ଗୁରବାର ଜଣେ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସେ ହେଲେ କୋରାପୁଟ ବ୍ଲକ ପଦ୍ମପୁର ଗ୍ରାମର ଆୟାଲ(୨୩) ବୋଲି ଜଣାପଡିଛି। ତେବେ ମୃତ୍ୟୁର ସଠିକ୍ କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିବାବେଳେ ଏହା ଏକ ଆତ୍ମହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।
ସୂୂଚନାଯୋଗ୍ୟ, ଆୟାଲ ଗୁରବାର ସକାଳେ ଶୌଚାଳୟ ଭିତରକୁ ଯାଇ ଆଉ ବାହାରକୁ ଆସିନଥିଲେ। ଦୀର୍ଘ ସମୟ ଧରି କବାଟ ବନ୍ଦ ଥିବାବେଳେ ଜଣେ ବ୍ୟକ୍ତି କବାଟକୁ ଠେଲିବାବେଳେ ଭିତରେ ଆୟାଲଙ୍କ ମୃତଦେହ ଝୁଲୁଥିବା ଦେଖି ଷ୍ଟେଶନ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ସୂଚନାପାଇ କୋରାପୁଟ ଜିଆରପି ଓଆଇସି ବିନୟ କୁମାର ଭୋଇ ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କୋରାପୁଟ ମେଡିକାଲ କଲେଜକୁ ପଠାଇଥିବା ଜଣାପଡିଛି। ଅନ୍ୟପଟେ, ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରାଯାଇଥିବା ଶ୍ରୀ ଭୋଇ ସୂଚନା ଦେଇଛନ୍ତି।


