Categories: ବାଣିଜ୍ୟ

ଜିଏସ୍‌ଟି ଫାଇଲିଂ ଅବଧି ମାସେ ବୃଦ୍ଧି

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ର ବାର୍ଷିକ ରିଟନର୍ର୍ ଏବଂ ଅଡିଟ ରିପୋର୍ଟ ଫାଇଲିଂ କରିବା ଅବଧିକୁ ସରକାର ଗୋଟିଏ ମାସ ବଢ଼ାଇଛନ୍ତି। ପୂର୍ବରୁ ଏହି ଅବଧି ସେପ୍ଟେମ୍ବର ଶେଷ ଯାଏ ରହିଥିବା ବେଳେ ଏହାକୁ ବର୍ତ୍ତମାନ ଅକ୍ଟୋବର ୩୧ ଯାଏ ବୃଦ୍ଧି କରାଯାଇଛି। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ନିର୍ବାଚନ ଆୟୁକ୍ତଙ୍କ ଅନୁମତି ପରେ ସରକାର ୨୦୧୮-୧୯ ଲାଗି ଜିଏସ୍‌ଟି-ଆର୍‌୯ ଏବଂ ଜିଏସ୍‌ଟି ଆର୍‌୯ସି ଫାଇଲିଂ କରିବା ସୀମାକୁ ବଢ଼ାଇଥିବା କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏହା ପୂର୍ବରୁ ଚଳିତ ବର୍ଷ ମେ ମାସରେ ସରକାର ଜିଏସ୍‌ଟି ଫାଇଲିଂ ସୀମାକୁ ସେପ୍ଟେମ୍ବର ଶେଷ ଯାଏ ବଢାଇଥିଲେ। ଜିଏସ୍‌ଟି ବ୍ୟବସ୍ଥାରେ ପଞ୍ଜୀକୃତ ହୋଇଥିବା ଟିକସଦାତା ବାର୍ଷିକ ରିଟର୍ନ ପଇଠ କରିବା ଲାଗି ଜିଏସ୍‌ଟିଆର୍‌-୯ ଫର୍ମ ବ୍ୟବହାର କରୁଛନ୍ତି।

Share