Categories: ବାଣିଜ୍ୟ

ଜିଏସ୍‌ଟି ସଂଗ୍ରହ ଲକ୍ଷେ କୋଟି ଟପିଲା

ନୂଆଦିଲ୍ଲୀ: ଅକ୍ଟୋବରରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବାବଦକୁ ସରକାର ଲକ୍ଷେ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ସଂଗ୍ରହ କରିଛନ୍ତି। ଗତ ୮ ମାସ ମଧ୍ୟରେ ପ୍ରଥମ ଥର ଲାଗି ପରୋକ୍ଷ ଟିକସ ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ଟପିଛି। କରୋନା ସଂକ୍ରମଣକୁ ରୋକିବା ଲାଗି ସାରା ଦେଶରେ ଲାଗୁ ହୋଇଥିବା କଟକଣା କୋହଳ ହେବାରୁ ଆର୍ଥତ୍କ କାର୍ଯ୍ୟକଳାପ ବର୍ତ୍ତମାନ ଟ୍ରାକକୁ ଫେରୁଥିବା ଏଥିରୁ ଅନୁମାନ କରାଯାଉଛି। ଅକ୍ଟୋବରରେ ୧୯,୧୯୩ କୋଟିର କେନ୍ଦ୍ର ଜିଏସ୍‌ଟି(ସିଜିଏସ୍‌ଟି), ୨୫,୧୧୧ କୋଟିର ରାଜ୍ୟ ଜିଏସ୍‌ଟି(ଏସ୍‌ଜିଏସ୍‌ଟି)ଏବଂ ୫୨,୫୪୦ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି(ଆଇଜିଏସ୍‌ଟି) ଆଦାୟ ହୋଇଛି। ଏହି ୩ ବର୍ଗରେ ସେପ୍ଟେମ୍ବରରେ ଆଦାୟ ଯଥାକ୍ରମେ ୧୭,୭୪୧ କୋଟି, ୨୩,୧୩୧ କୋଟି ଏବଂ ୪୭,୪୮୪ କୋଟି ଆଦାୟ ହୋଇଥିଲା। ଅର୍ଥାତ ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ଜିଏସ୍‌ଟି ସଂଗ୍ରହ ଅପେକ୍ଷାକୃତ ଉନ୍ନତ ହୋଇଛି। ସେହିଭଳି କ୍ଷତିପୂରଣ ସେସ୍‌ ୭,୧୨୪ କୋଟି ଟଙ୍କାରୁ ୮,୦୧୧ କୋଟି ଟଙ୍କାକୁ ବଢିଛି। ଗତ ବର୍ଷ ଅକ୍ଟୋବରରେ ୯୫,୩୭୯ କୋଟି ଟଙ୍କା ଜିଏସ୍‌ଟି ଆଦାୟ ହୋଇଥିଲା। ଚଳିତ ବର୍ଷ ସମାନ ମାସରେ ଏହା ୧୦% ଅଧିକ ରହିଛି। ଗତ ମାସର ଜିଏସ୍‌ଟି ଆଦାୟ ଚଳିତ ବର୍ଷ ଫେବୃୟାରୀ ମାସ ସହ ପ୍ରାୟ ସମାନ ରହିଛି। ଫେବୃୟାରୀରେ ୧,୦୫,୩୬୬ କୋଟି ପରୋକ୍ଷ ଟିକସ ଆଦାୟ ହୋଇଥିବା ବେଳେ ଅକ୍ଟୋବରରେ ୧,୦୫,୧୫୫ କୋଟି ଟଙ୍କା ସଂଗ୍ରହ କରିବାକୁ ସରକାର ସକ୍ଷମ ହୋଇଛନ୍ତି।

Share