ଗୋଷ୍ଠୀ ଶୌଚାଳୟରେ ତାଲା

ବିଶ୍ରା,୨।୭(ବଟକୃଷ୍ଣ ସ୍ବାଇଁ)ସୁନ୍ଦରଗଡ ଜିଲା ବିଶ୍ରା ସାପ୍ତାହିକ ବଜାରରେ ନିର୍ମାଣ ହୋଇଥିବା ଗୋଷ୍ଠୀ ଶୌଚାଳୟରେ ୩ ବର୍ଷ ହେଲା ତାଲା ପଡ଼ିଛି। ଫଳରେ ବଜାରକୁ ଆସୁଥିବା ଚାଷୀ ଏବଂ ସ୍ଥାନୀୟ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ମହିଳାମାନେ ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି। ପଞ୍ଚାୟତ ସମିତି ପକ୍ଷରୁ ୫ ଲକ୍ଷ ଟଙ୍କାରେ ନିର୍ମାଣ କରାଯାଇଥିବା ଏହି ଶୌଚାଳୟ କାମରେ ଆସୁ ନ ଥିବାରୁ ଜନଅସନ୍ତୋଷ ପ୍ରକାଶ ପାଇଛି। ବଜାରକୁ ଆସୁଥିବା ଲୋକେ ପରିସ୍ରା ପାଇଁ ରାସ୍ତାକଡ଼ କିମ୍ବା ନାଳକୁ ଯିବାକୁ ପଡ଼ୁଛି। ଗୋଷ୍ଠୀ ଶୌଚାଳୟ ନିର୍ମାଣ କାହା ପାଇଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିସହ ଶୌଚାଳୟରେ ଲାଗିଥିବା ପାଣି ପାଇପକୁ କେତେକ ଅସାମାଜିକ ଯୁବକ କାଟି ନେଇଯାଇଛନ୍ତି। ଫଳରେ ପାଣି ବାହାରି ଚାରିଆଡ଼େ ହେଉଛି। ଏଥିସହ ଛାତରୁ ସିମେଣ୍ଟ ଖଣ୍ଟ ମଧ୍ୟ ଖସୁଛି। ତଥାପି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ସୁରଜ କୁମାର ନାୟକଙ୍କୁ ପଚାରିବାରୁ, ଏହି ଶୌଚାଳୟ ରକ୍ଷଣାବେକ୍ଷଣ ପାଇଁ ପଞ୍ଚାୟତକୁ ହସ୍ତାନ୍ତର କରାଯାଇନାହିଁ। ତେଣୁ ସେ କ’ଣ ଦାୟିତ୍ୱ ନେବେ ବୋଲି କହିଛନ୍ତି। ସେହିପରି ବିଡିଓ ଅଂଶୁମାନ ଦାସଙ୍କୁ ପଚାରିବାରୁ, ଠିକାଦାର ଓ ଯନ୍ତ୍ରୀ ଏ ବିଷୟରେ ଜଣାଇ ନାହାନ୍ତି। ଶୌଚାଳୟ ନିର୍ମାଣର ତଦନ୍ତ କରି ପଞ୍ଚାୟତକୁ ହସ୍ତାନ୍ତର ପାଇଁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି।