ଜେସିବିରେ କନ୍ୟାଘରକୁ ଆସିଲେ ବର

ଖଣ୍ଡପଡ଼ା,୩।୫(ସ୍ବ.ପ୍ର.): ଦିନଥିଲା ବିବାହ ପାଇଁ ବର କନ୍ୟାଘରକୁ ବରଯାତ୍ରୀ ନେଇ ଶଗଡ଼, ପାଲିଙ୍କି କିମ୍ବା ଘୋଡ଼ା ଗାଡ଼ିରେ ବସି ଆସୁଥିଲେ। ଏପରି କି ନଦୀକୂଳିଆ ଲୋକମାନେ ଡଙ୍ଗାରେ ବର ନେଇ ବିବାହ ପାଇଁ କନ୍ୟାଘରେ ପହଞ୍ଚୁଥିଲେ। ହେଲେ ଆଜିର ସଭ୍ୟ ସମାଜରେ ସେହି ପରମ୍ପରାରେ ବହୁ ପରିବର୍ତ୍ତନ ଆସିଛି। ଏବେ ବରଯାତ୍ରୀ ଶୋଭାଯାତ୍ରାରେ ଦାମୀ ଗାଡ଼ି, ଘୋଡ଼ା, ହାତୀର ବି ବ୍ୟବହାର କରାଯାଉଛି। କେହି କେହି ବିମାନରେ ବିବାହ ଉତ୍ସବ ପାଳନ କରୁଛନ୍ତି। ହେଲେ ନୟାଗଡ଼ ଜିଲା ଖଣ୍ଡପଡ଼ା ଅଞ୍ଚଳକୁ ବିବାହ ପାଇଁ ଜଣେ ଯୁବକ ଜେସିବିରେ ବସି ଆସିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଗତ ୩୦ ତାରିଖ ରାତିରେ ବୌଦ୍ଧ ଜିଲା ଚାରିଛକ ନିକଟ ଛତରଙ୍ଗ ଅଞ୍ଚଳର ଗଙ୍ଗାଧର ବେହେରା ଏକ ସୁସଜ୍ଜିତ ଜେସିବିରେ ବସି ଖଣ୍ଡପଡ଼ା ବ୍ଲକ ଅଧୀନ କିଆଝର ପଞ୍ଚାୟତ କିଆଝର ପାଟଣା ଗ୍ରାମକୁ ବିବାହ ପାଇଁ କନ୍ୟାଘରକୁ ଆସିଥିଲେ। ତାଙ୍କ ସହିତ ଶତାଧିକ ବରଯାତ୍ରୀ ଥିଲେ। ଏହି ବରଯାତ୍ରୀ ଶୋଭାଯାତ୍ରା ଆଗରେ ବିଭିନ୍ନ ବାଜା ରୋଶଣି ଚାଲିଥିଲା। ବରଯାତ୍ରୀମାନେ ବାଜାର ତାଳେ ତାଳେ ନାଚ କରୁଥିଲେ। ବର ବେଶରେ ଗଙ୍ଗାଧର ଜେସିବିରେ ବସି ଖୁବ୍‌ ମଜା ଉଠାଇଥିଲେ। ଏପରି କି ଅଧିକାଂଶ ସମୟରେ ଜେସିବି ଚାଳକ ଜେସିବି କ୍ୟାବିନ୍‌କୁ ଉପର ତଳ କରୁଥିଲେ। ଏପରି ଏକ ନିଆରା ଶୋଭାଯାତ୍ରା ଦେଖିବାକୁ ଗାଁ ଦାଣ୍ଡରେ ଭିଡ଼ ଜମିଥିଲା। ଶେଷରେ କନ୍ୟା ଘର ସମ୍ମୁଖରେ ବରଯାତ୍ରୀ ପହଞ୍ଚତ୍ବା ପରେ ସଂପୃକ୍ତ ଗ୍ରାମର ସମୀର ବେହେରାଙ୍କ ଝିଅ ସରସ୍ବତୀଙ୍କ ସହ ବୈଦିକ ରୀତିନୀତିରେ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା।