ମଣ୍ଡିରେ ପଡ଼ିଛି ଧାନ, ବାଜିରେ ଚାଷୀଙ୍କ ଜୀବନ

ସମ୍ବଲପୁର,୧୨ା୧୨(ବ୍ୟୁରୋ): ସମ୍ବଲପୁର ଜିଲାରେ ଧାନ ସଂଗ୍ରହରେ ଆରମ୍ଭରୁ ଅବ୍ୟବସ୍ଥା ଦେଖାଦେଇଥିଲା। ହୀରାକୁଦ ସେଚାଞ୍ଚଳ ସଦର ଉପଖଣ୍ଡରେ ଟୋକନ, କଟନୀ ଛଟନୀ ଭଳି ସମସ୍ୟା ଲାଗି ରହିଥିବା ବେଳେ କୁଚିଣ୍ଡା ଉପଖଣ୍ଡରେ ମଣ୍ଡିରୁ ଧାନ ଉଠାଣକୁ ନେଇ ବଡ ସମସ୍ୟା ସୃଷ୍ଟି ହୋଇଛି। କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ମଣ୍ଡିରେ ଡିସେମ୍ବର ୨ ତାରିଖରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୫୦ହଜାର ପ୍ୟାକେଟ ଧାନ ଖୋଲା ଆକାଶ ତଳେ ପଡ଼ିରହିଛି। ଶୀତ,କାକରରେ ଚାଷୀ ଯେତିକି କଷ୍ଟ ପାଉଛନ୍ତି ବନ୍ୟ ପ୍ରାଣୀଙ୍କ ଭୟ ମଧ୍ୟ ସେତିକି ରହୁଛି। ଚାଷୀ ଅମଳ କରିଥିବା ଧାନ ବିକ୍ରୀ କରିବା ପାଇଁ ଏବେ ଜୀବନ ବାଜିରେ ଲାଗିଛି। ଧାନ ଜଗିବା ସମୟରେ କେଉଁ ସମୟରେ ମଧ୍ୟ ହାତୀ ହାବୁଡ଼ରେ ପଡ଼ି ପ୍ରାଣହାନୀ ହେବାର ଆଶଙ୍କା ରହିଛି ବୋଲି ପଶ୍ଚିମ ଓଡ଼ିଶା କୃଷକ ସଂଗଠନର ଆବାହକ ଅଶୋକ ପ୍ରଧାନ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଜିଲାସ୍ତରୀୟ ଧାନ ସଂଗ୍ରହ ବୈଠକରେ ଜିଲା ପ୍ରଶାସନକୁ କୁଚିଣ୍ଡା, ରେଢ଼ାଖୋଲ ଅଞ୍ଚଳରେ ବିଶେଷ ଭାବେ ଧାନ ଉଠାଇବାରେ ମିଲର୍ସମାନେ ଅସହଯୋଗ କରିଥାନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଥିଲେ। ସଦର ଉପଖଣ୍ଡରେ ଚାଷୀମାନେ ନିଜ ଗାଡ଼ିରେ ମିଲକୁ ଧାନ ନିଅନ୍ତି, ତେଣୁ ଏଠାରେ ଧାନ ଲିଫ୍ଟିଙ୍ଗକୁ ନେଇ ସମସ୍ୟା ହୋଇନଥାଏ। ତେଣୁ କୁଚିଣ୍ଡା, ରେଢ଼ାଖୋଲରେ ଧାନ ସଂଗ୍ରହରେ ମିଲର୍ସମାନେ କିଭଳି ଧାନ ସଂଗ୍ରହ କରିବେ ସେନେଇ ବ୍ୟବସ୍ଥା କରିବାକୁ ଦାବି କରାଯାଇଥିଲା। ଜିଲା ପ୍ରଶାସନ ପୂର୍ବାଭାଷ ପାଇଥିଲେ ମଧ୍ୟ ଚାଷୀଙ୍କ ସୁବିଧା ପାଇଁ ପଦକ୍ଷେପ ଗ୍ରହଣ କଲାନାହିଁ। ଏହାସହ ଆଜି ପର୍ଯ୍ୟନ୍ତ ଧାନ ସଂଗ୍ରହକୁ ନେଇ ଉପସମିତି ବୈଠକ ହୋଇପାରିଲାନାହିଁ। ତେଣୁ କୁଚିଣ୍ଡା ଅଞ୍ଚଳରେ ହଜାର ହଜାର ପ୍ୟାକେଟ ଧାନ ମଣ୍ଡିରେ ପଡ଼ିରହିଛି। ଆଗକୁ ଏଭଳି ସମସ୍ୟା ବୃଦ୍ଧି ପାଇବ। ପ୍ରଶାସନ, ଯୋଗାଣ ବିଭାଗ ଏ ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚାଷୀନେତା ପ୍ରଧାନ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ କହିଛନ୍ତି ଯେ, କେତେକ ମଣ୍ଡିରେ ଧାନର ମାନକୁ ନେଇ ସମସ୍ୟା ରହୁଥିଲା। ଏଫଏକ୍ୟୁ ଧାନ ଆଣିବାକୁ ଚାଷୀମାନଙ୍କୁ ଅନୁରୋଧ କରାଯାଉଛି। ଟୋକନ ଅବଧି ଭିିତରେ ସମସ୍ତ ଚାଷୀଙ୍କ ଧାନ ସଂଗ୍ରହ କରାଯିବ। ଧାନ ଉଠାଇବା ମଧ୍ୟ ଚାଲିଛି। ଚାଷୀଙ୍କ ସୁବିଧାକୁ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।