ମଣ୍ଡିରେ ପଡ଼ିରହିଛି ଧାନ, ମିଲରଙ୍କ ଦେଖା ନାହିଁ

ଭଣ୍ଡାରିପୋଖରୀ,୨୦।୧(ସ୍ବ.ପ୍ର.): ଚାଷୀମାନେ ମଣ୍ଡିରେ ଧାନ ଦେଇ ସାରିବା ପରେ ଠିକ୍‌ ସମୟ ମଧ୍ୟରେ ମିଲର ଧାନ ଉଠାଉ ନାହାନ୍ତି। ଧାନ କ୍ରୟ ଦିନରେ ମିଲ୍‌ ଗାଡ଼ି ଆସୁନାହିଁ। ମଣ୍ଡିରେ ଧାନବସ୍ତା ପଡ଼ି ରହୁଛି। ଫଳରେ ପରବର୍ତ୍ତୀ ଟୋକନପ୍ରାପ୍ତ ଚାଷୀମାନେ ମଣ୍ଡିରେ ଜାଗା ନ ଥିବାରୁ ଆଉ ଧାନ ଦେଇ ପାରୁନାହାନ୍ତି। ମିଲର କେଉଁଦିନ ଗୋଟାଏ ତ ପୁଣି କେଉଁଦିନ ଅତିବେଶିରେ ଦୁଇଟି ଗାଡ଼ି ପଠାଇ ଇଚ୍ଛା ଅନୁଯାୟୀ ଧାନ ନେଉଥିବା ବେଳେ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ରହଣିଆ, ମାଳଦା, ନାରାୟଣପୁର, ନେରଡ଼ା, ବାଲିପୋଖରୀ, ସରସଦା, ନଗୁଅଁା, ନାଆମୀ ଆଦି ସମିତିରେ ଏସ୍‌ଏଚ୍‌ଜି ପକ୍ଷରୁ ଖୋଲିଥିବା ମଣ୍ଡିରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି। ଚଳିତବର୍ଷ ଏହି ବ୍ଲକର ୮ ସମିତି ଓ ୮ ଏସ୍‌ଏଚ୍‌ଜି ଧାନ କ୍ରୟ କରୁଛନ୍ତି। ମିଲରଙ୍କୁ ଯୋଗାଯୋଗ କରିବାରୁ ଗୋଟିଏ ଗାଡ଼ି ଲେଖାଏ ଧାନ ଉଠାଇ ପାରିବୁ, ଅଧିକ ନେଇପାରିବୁନି ବୋଲି ରୋକ୍‌ଠୋକ୍‌ କହୁଛନ୍ତି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମଣ୍ଡିରେ ପଡ଼ିରହି ଧାନ ନଷ୍ଟ ହେଉଥିବା କହିଛନ୍ତି ମାଳଦା ସମିତି ଅଧୀନ ଚାଷୀ ଧୀରେନ୍ଦ୍ର ନାୟକ। ଏ ସମ୍ପର୍କରେ ବ୍ଲକ ଯୋଗାଣ ନିରୀକ୍ଷକ ସନ୍ଦୀପା ଦାସଙ୍କୁ ପଚାରିବାରୁ ମଣ୍ଡିରୁ ଯଥାଶୀଘ୍ର ଧାନ ଉଠାଇବା ପାଇଁ ମିଲର ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା କହିଛନ୍ତି।