Categories: ଜାତୀୟ

ପଞ୍ଜାବ ସରକାରଙ୍କୁ ଝଟ୍‌କା

ଚଣ୍ଡିଗଡ,୨୧।୯: ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇବା ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି। ଫଳରେ ପଞ୍ଜାବର ଭଗଓ୍ବନ୍ତ ମାନ ସରକାରଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ପଞ୍ଜାବ ରାଜ୍ୟପାଳ ଏକ ବିବୃତ୍ତି ଜାରି କରି କହିଛନ୍ତି, ସରକାର ନିଜ ପକ୍ଷରୁ ବିଧାନସଭାରେ ଏହିପରି ବିଶ୍ୱାସ ପ୍ରସ୍ତାବ ଆଣିପାରିବ ନାହିଁ। ଏହା କରିବା ପାଇଁ ସମ୍ଭିଧାନରେ ନିୟମ ନାହିଁ। ପଞ୍ଜାବ ସରକାର ବିଧାନସଭାର ସୱତନ୍ତ୍ର ଅଧିବେଶନର ଆଦେଶ ପ୍ରତ୍ୟାହାର କରି ନେଇଛନ୍ତି।
ପଞ୍ଜାବର ରାଜ୍ୟପାଳଙ୍କ ଏହି ଆଦେଶ ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ ଟୁଇଟ କରି କହିଛନ୍ତି, କ୍ୟାବିନେଟ ଡକାଯାଇଥିବା ଅଧିବେଶନକୁ ରାଜ୍ୟପାଳ କିପରି ପ୍ରତ୍ୟାଖ୍ୟାନ କରିପାରିବେ? ଗଣତନ୍ତ୍ର ସମାପ୍ତ ହୋଇଛି। ଦୁଇ ଦିନ ପୂର୍ବେ ରାଜ୍ୟପାଳ ଅଧିବେଶନକୁ ଅନୁମତି ଦେଇଥିଲେ। ଯେତେବେଳେ ଅପରେସନ ଲୋଟସ ବିଫଳ ହେବା ଆରମ୍ଭ ହୋଇଥିଲା ଏବଂ ସଂଖ୍ୟା ସମାପ୍ତ ହୋଇ ନ ଥିଲା, ଉପରୁ କଲ ଆସିଥିଲା। ଅନୁମତି ଫେରସ୍ତ। ଆଜି ଦେଶର ଗୋଟିଏ ପଟେ ସମ୍ବିଧାନ ଏବଂ ଅନ୍ୟ ପଟେ ଅପରେସନ ଲୋଟସ ଅଛି।
ବିଶ୍ୱାସ ପ୍ରସ୍ତାବ ଆଣିବା ପାଇଁ ସେପ୍ଟେମ୍ବର ୨୨ରେ ବିଧାନସଭାର ଏକ ଦିନିକିଆ ସ୍ବତନ୍ତ୍ର ଅଧିବେଶନ ଡାକରାକୁ ପଞ୍ଜାବ କ୍ୟାବିନେଟ ଅନୁମୋଦନ ଦେଇଥିଲା। ସରକାରକୁ ହଟାଇବା ପାଇଁ ଦଳର ୧୦ ଜଣ ବିଧାୟକଙ୍କୁ ୨୫ କୋଟି ଟଙ୍କା ଅଫର ଦେଇ ଭାଜପା କିଣିବାକୁ ଚାହୁଁଥିଲା। ୧୧୭ ସଦସ୍ୟ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ୯୨ ବିଧାୟକଙ୍କ ସହ ଏଏପିର ବହୁମତ ରହିଛି। କଂଗ୍ରେସର ୧୮ ଜଣ ବିଧାୟକ ଅଛନ୍ତି। ଶିରୋମଣି ଅକାଳୀ ଦଳ ତିନୋଟି, ଭାଜପା ଦୁଇଟି ଏବଂ ବହୁଜନ ସମାଜ ପାର୍ଟି (ବିଏସପି) ଗୋଟିଏ ଅଛି। ଜଣେ ସ୍ବାଧୀନ ସଦସ୍ୟ ମଧ୍ୟ ଅଛନ୍ତି।

Share