ସରକାରଙ୍କ ସତ୍ୟପାଠ ଉପରେ ଆପତ୍ତି ଉଠାଇଲେ ଆବେଦନକାରୀ

କଟକ,୨୩ା୬(କାର୍ତ୍ତିକ ସାହୁ): ଭୁବନେଶ୍ୱର ଲୋକସେବା ଭବନ ନିକଟ ଜମିରେ ବହୁତଳ ପ୍ରାସାଦବିଶିଷ୍ଟ ବିଧାୟକ କଲୋନୀ ନିର୍ମାଣ ପାଇଁ ବେଆଇନ ଗଛକଟା ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଗୁରୁବାର ପ୍ରତିଜବାବ ଦାଖଲ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠ ଉପରେ ଆବେଦନକାରୀ ଏହି ପ୍ରତିଜବାବ ମାଧ୍ୟମରେ ଆପତ୍ତି ଉଠାଇଛନ୍ତି। କଟାଯାଇଥିବା ଓ କଟାଯିବାକୁ ଥିବା ମୋଟ ୮୭୦ ଗଛର ମୂଲ୍ୟ ନିର୍ଦ୍ଧାରଣ ନିମନ୍ତେ ଗଠନ ହୋଇଥିବା ବିଶେଷଜ୍ଞ କମିଟିର ସଦସ୍ୟମାନେ ରାଜ୍ୟ ସରକାରଙ୍କଠାରୁ ସ୍ବାଧୀନ ନୁହନ୍ତି। ସୁପ୍ରିମକୋର୍ଟ କୋଲକାତା ମାମଲାରେ ଦେଇଥିବା ନିର୍ଦ୍ଦେଶକୁ ଆଧାର କରି ଏଠାରେ ହାଇକୋର୍ଟ ଦ୍ୱାରା ନିର୍ଦ୍ଧାରିତ ଏକ ସ୍ବାଧୀନ କମିଟି ଗଛଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ କରିବାକୁ ଆବେଦନକାରୀ ପ୍ରତିଜବାବରେ ଦର୍ଶାଇଛନ୍ତି। ବାସ୍ତବରେ କେତେ ଗଛ କଟାଯାଇଛି, କେତେ ଗଛ କଟାଯିବାକୁ ଅଛି ଏବଂ କେଉଁଠି ଚାରାରୋପଣ କରାଯାଇଛି ତାହାର ସ୍ଥିତି ଭିଡିଓଗ୍ରାଫି ଓ ସାଟେଲାଇଟ୍‌ ଚିତ୍ର ଉତ୍ତୋଳନ ମାଧ୍ୟମରେ ହାଇକୋର୍ଟରେ ଦାଖଲ କରିବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ସାମାଜିକ କର୍ମୀ ଜୟନ୍ତୀ ଦାସ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଆସନ୍ତା ଜୁଲାଇ ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୂଚନାଯୋଗ୍ୟ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରି କଟାଯାଇଥିବା ଗଛଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ ଉପରେ ସତ୍ୟପାଠ ଦାଖଲ କରିଥିଲେ। ଲୋକସେବା ଭବନର ଉପନିର୍ଦ୍ଦେଶକ ଇତିଶ୍ରୀ ରାଉତ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ଯେ, ବିଶେଷଜ୍ଞ କମିଟିରେ ଭୁବନେଶ୍ୱର ସିଟି ଫରେଷ୍ଟ ଡିଭିଜନ୍‌ର ଡିଭିଜନାଲ ଫରେଷ୍ଟ ଅଫିସର ଚେୟାରମ୍ୟାନ ଅଛନ୍ତି। ଏଥିସହ ମେମ୍ବର ଭାବେ ରାଜ୍ୟ ସରକାରଙ୍କ ପିଏ ଆଣ୍ଡ୍‌ ପିଜି ଡିପାର୍ଟମେଣ୍ଟର ଅତିରିକ୍ତ ସଚିବ, ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନଷ୍ଟ୍ରକସନ କର୍ପୋରେଶନ ଲିମିଟେଡ୍‌ର ଜେନେରାଲ ମ୍ୟାନେଜର, ଓଏଫଡିସିର ଡିଭିଜନାଲ ମ୍ୟାନେଜର, ବିଡିଏର ଉଦ୍ୟାନକୃଷିବିତ୍‌, ବିଏମ୍‌ସିର ଉଦ୍ୟାନକୃଷିବିତ୍‌, ରିଜିଓନାଲ ସେଣ୍ଟର ଫର୍‌ ଡେଭେଲପମେଣ୍ଟ କୋଅପରେଶନ୍‌ର ପ୍ରତିନିଧି, ଆମ ଅଧିକାର ସଙ୍ଗଠନର ମୁଖ୍ୟ ଏବଂ ଏକ୍ସପର୍ଟ ମେମ୍ବର ଭାବେ ଭୁବନେଶ୍ୱର ଉଦ୍ୟାନକୃଷି ବିଭାଗର ନିର୍ଦ୍ଦେଶକଙ୍କ ପ୍ରତିନିଧି ଓ ଭୁବନେଶ୍ୱର ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟରର ପ୍ରତିନିଧିଙ୍କୁ ଉକ୍ତ କମିଟିରେ ସାମିଲ କରାଯାଇଛି। ଏହି ସତ୍ୟପାଠ ଉପରେ ପ୍ରତିଜବାବ ଦାଖଲ ନିମନ୍ତେ ହାଇକୋର୍ଟ ଆବେଦନକାରୀ ଦାସଙ୍କୁ ଗତ ଫେବୃୟାରୀ ୨୨ ତାରିଖ ଶୁଣାଣିରେ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଛନ୍ତି।