Categories: ବାଣିଜ୍ୟ

ନୂଆ ପ୍ୟାକେଜ ଆଣିବେ ସରକାର

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଛି। ଘରୋଇ ବଜାରର ମୋଟ ଘରୋଇ ଉତ୍ପାଦ (ଜିଡିପି) ଐତିହାସିକ ନିମ୍ନ ସ୍ତରରେ ରହିଛି। ଅର୍ଥ ବ୍ୟବସ୍ଥାକୁ ଗତି ପ୍ରଦାନ କରିବା ଲାଗି ସରକାର ପ୍ରାୟ ଦେଢ ଲକ୍ଷ କୋଟିର ନୂଆ ପ୍ୟାକେଜ ଆଣିବାକୁ ଯୋଜନା କରୁଛନ୍ତି ବୋଲି ଜଣେ ସରକାରୀ ଅଧିକାରୀ ବୁଧବାର ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ନୂଆ ଯୋଜନା ଉପରେ ଗୁରୁବାର ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ଅଧିକାରୀ କହିଛନ୍ତି।
ପ୍ୟାକେଜ ସମ୍ପର୍କରେ ଅଧିକାରୀ କିଛି ବିସ୍ତୃତ ଭାବେ କହିନାହାନ୍ତି। ମାତ୍ର ଚାପରେ ରହିଥିବା କ୍ଷେତ୍ରଗୁଡିକୁ ଏହା ଦ୍ୱାରା ଫୋକସ୍‌ କରାଯିବା ବୋଲି ସେ ସ୍ପଷ୍ଟ କରିଛନ୍ତି। ନୂଆ ନିୟୁକ୍ତି ସୃଷ୍ଟି ଉପରେ ମଧ୍ୟ ଏଥିରେ ଗୁରୁତ୍ୱ ଦିଆଯିବ। କରୋନା ମହାମାରୀ ବଜାରକୁ ଶକ୍ତ ଧକ୍କା ଦେଇଛି। ମେ ମାସରେ ସରକାର ଘୋଷଣା କରିଥିବା ପ୍ୟାକେଜ ବଜାର ଉପରେ ରହିଥିବା ପ୍ରଭାବକୁ କମ୍‌ କରିବାରେ ସକ୍ଷମ ହୋଇପାରିନାହିଁ। ଏହି ପ୍ୟାକେଜରେ ସରକାରଙ୍କ ପ୍ରକୃତ ଖର୍ଚ୍ଚ କହିଲେ ବହୁ ନଗନ୍ୟ। ପ୍ୟାକେଜର ସିଂହଭାଗ କେବଳ ଋଣ ଆକାରରେ ରହିଥିବାରୁ ଏହା ବଜାରର ସମସ୍ୟାକୁ ସମାଧାନ କରିବାରେ ସକ୍ଷମ ହୋଇପାରିଲା ନାହିଁ ବୋଲି ବଜାର ବିଶେଷଜ୍ଞ କହିଛନ୍ତି।
କ୍ଷତିଗ୍ରସ୍ତ ହୋଇଥିବା ପର୍ଯ୍ୟଟନ, ହସ୍ପିଟାଲିଟି ଏବଂ ବିମାନ ଚଳାଚଳ କ୍ଷେତ୍ର ଲାଗି ସରକାର ବର୍ତ୍ତମାନ ଯାଏ କୌଣସି ପ୍ୟାକେଜ ଘୋଷଣା କରିନାହାନ୍ତି। ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ ଜୁନ ସମୟରେ ଦେଶର ଅର୍ଥ ବ୍ୟବସ୍ଥା ୨୩.୯% ଖସିଛି। ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୧୦%ରୁ ଉର୍ଦ୍ଧ୍ୱ ଖସିବ ବୋଲି ଅନ୍ତର୍ଜାତୀୟ ଏଜେନ୍ସିଗୁଡିକ ଆକଳନରେ କହିଛନ୍ତି। ଦେଶର ପ୍ରମୁଖ ସହରଗୁଡିକରେ ବର୍ତ୍ତମାନ ମଧ୍ୟ କରୋନା ସଂକ୍ରମଣ ବଢିଚାଲିଛି। ସୂଚନାଯୋଗ୍ୟ, ବୁଧବାର ସରକାର ଉତ୍ପାଦନ ସଂଯୋଗୀ ନିବେଶ (ପିଏଲ୍‌ଆଇ) ଯୋଜନା ଘୋଷଣା କରିଛନ୍ତି। ଏହା ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ହେବ। ଆଗାମୀ ୫ ବର୍ଷ ଲାଗି ମାନୁଫାକଚରିଂର ୧୦ କ୍ଷେତ୍ରକୁ ସହାୟତା କରିବା ଲାଗି ସରକାର ଏଥିରେ ଯୋଜନା ରଖିଛନ୍ତି। ସେହିଭଳି କେନ୍ଦ୍ର ସରକାର ପାର୍ବଣରେ ପ୍ରାୟ ୭୩ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରୋତ୍ସାହନ ଯୋଜନା ଘୋଷଣା କରିଥିଲେ। ଏହା ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ରହିଥିଲା।

Share