ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର ଚାହୁଁଛନ୍ତି ମାନେ ହେବ। ଏହାଦ୍ୱାରା ଭବିଷ୍ୟତ ପିଢ଼ି କେତେ ଉପକୃତ ହେବେ ସେ ସମ୍ପର୍କରେ ବିଚାରବିମର୍ଶ ହେଉ ନାହିଁ। ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଗମନାଗମନ ସବୁ କ୍ଷେତ୍ରରେ ସମାନ କଥା। ତଳ ସ୍ତରରେ ଥିବା ଲୋକଙ୍କର ମତାମତ ନିଆଯାଉ ନାହିଁ। ବିଶେଷଜ୍ଞ, ବୁଦ୍ଧିଜୀବୀଙ୍କ ଉପଦେଶ ଗ୍ରହଣ କରାଯାଉ ନାହିଁ। ଗଣସଂଗଠନ କିମ୍ବା ବିରୋଧୀ ଦଳଙ୍କ ଅଭିଯୋଗକୁ ଶୁଣାଯାଉନାହିଁ। ଯିଏ ଯେତେବେଳେ ସରକାରରେ ରହିଲେ ସେ ତାଙ୍କ ଦୃଷ୍ଟିଭଙ୍ଗୀକୁ ଜନସାଧାରଣଙ୍କ ଉପରେ ଲଦିଦେଲେ। ଫଳରେ ସାମଗ୍ରିକ ବିକାଶ ହେଉନାହିଁ। ବିଫଳତାକୁ ଲକ୍ଷ୍ୟକରି ବାରମ୍ବାର ମତ, ମାର୍ଗ, ନୀତି ବଦଳୁଛି। ଏହାର କୁପ୍ରଭାବ ସବୁଠାରୁ ଶିକ୍ଷା ବିଭାଗ ଉପରେ ପଡ଼ିଛି। ନିକଟ ଅତୀତରେ ଏବଂ ବର୍ତ୍ତମାନ କେମିତି ଘଡ଼ିକେ ଘୋଡ଼ା ଛୁଟୁଛି ସେ ସମ୍ପର୍କରେ ସମ୍ୟକ ଆଲୋଚନା କରିବା।
୨୦୦୯ ମସିହାରେ ଶିକ୍ଷା ଅଧିକାର ଆଇନ ଲୋକସଭାରେ ଗୃହୀତ ହେଲା। ୮୬ ତମ ସମ୍ବିଧାନ ସଂଶୋଧନ ଜରିଆରେ ଏହା ପ୍ରତ୍ୟେକ ଶିଶୁର ମୌଳିକ ଅଧିକାର ବୋଲି ୨୧ଏରେ ଲିପିବଦ୍ଧ ହେଲା। ନିର୍ଦ୍ଦେଶିତ ହେଲା – ଏଣିକି ୬ ରୁ ୧୪ ବର୍ଷର ପ୍ରତ୍ୟେକ ଶିଶୁଙ୍କୁ ମାଗଣା ଶିକ୍ଷା ଦେବାର ଦାୟିତ୍ୱ ଦେଶର ଅର୍ଥାତ୍‌ ସରକାରଙ୍କର। ସେଥିରେ ଛାତ୍ର ଓ ଶିକ୍ଷକର ଅନୁପାତ ସ୍ଥିର ହେଲା। ବିଦ୍ୟାଳୟ ଏକ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା ହେଲା, କୌଣସି ପରିସ୍ଥିତିରେ ପିଲାଙ୍କୁ ଶ୍ରେଣୀ ପଦୋନ୍ନତିରୁ ରୋକାଯାଇପାରିବ ନାହିଁ ବୋଲି ନିୟମ ହେଲା। ନିୟମିତ ଓ ନିରନ୍ତର ମୂଲ୍ୟାୟନ ବ୍ୟବସ୍ଥା ଲାଗୁହେଲା। ଏହି ଆଇନକୁ ୨୦୧୦ରେ ଆମ ରାଜ୍ୟରେ କାର୍ଯ୍ୟକାରୀ କରାଗଲା।
ଆଇନ ସିନା କାର୍ଯ୍ୟକାରୀ ହେଲା କିନ୍ତୁ ସରକାର ନିଜର ଉତ୍ତରଦାୟିତ୍ୱ ପାଳନ କଲେନାହିଁ। ଅବଶ୍ୟ ପିଲାମାନେ କେମିତି ବିଦ୍ୟାଳୟକୁ ଆସିବେ ସେଥିପାଇଁ ମଧ୍ୟାହ୍ନଭୋଜନ, ମାଗଣା ପୁସ୍ତକ, ପୋଷାକ, ବ୍ୟାଗ୍‌, ଜୋତା ଦେବାର ବ୍ୟବସ୍ଥା ହେଲା। କିନ୍ତୁ ଯେତିକି ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦେବା କଥା ତାହା କଲେ ନାହିଁ। ଫଳରେ ପାଠପଢ଼ା କେମିତି ଚାଲିଛି କେହି ଦେଖିବାକୁ ନାହାନ୍ତି । ପୁସ୍ତକ ଯୋଗାଇବା ଦାୟିତ୍ୱ ସରକାର ନେଲେ କିନ୍ତୁ ପିଲାଙ୍କ ନିକଟରେ ପୁସ୍ତକ ପହଞ୍ଚତ୍ଲା ବେଳକୁ ଅଧା ବରଷ ଅତିକ୍ରମ କରିଯାଏ। ପୁଣି ସବୁ ପୁସ୍ତକ ମିଳେ ନାହିଁ। ଏଣେ ନିୟମ ଅଛି କେହି ପିଲା ଫେଲ୍‌ ହେବେ ନାହିଁ। ଯଦି କେହି ଶିକ୍ଷକ ସାହସ କରି ଉପର ଅଫିସରଙ୍କୁ ପଚାରିଲେ, ”ସାର୍‌, ମୁଁ କରିବି କ’ଣ? ମଧ୍ୟାହ୍ନଭୋଜନ କଥା ବୁଝିବି କେତେବେଳେ, ଗଦାଏ ଖାତା କାମ କରିବି କେତେବେଳେ, ପିଲାଙ୍କୁ ପଢ଼ାଇବି କେତେବେଳେ ଆଉ ନିୟମିତ ଓ ନିରନ୍ତର ପରୀକ୍ଷଣକରି ପିଲାଙ୍କୁ ମୂଲ୍ୟାୟନ କରିବି କେତେବେଳେ?“ ଉତ୍ତର ଆସିଲା, ‘ସରକାର ଚାହୁଁଛନ୍ତି’। ନବମ ଶ୍ରେଣୀ ପର୍ଯ୍ୟନ୍ତ କେହି ଛାତ୍ରୀ କିମ୍ବା ଛାତ୍ର ଫେଲ୍‌ ହେବେ ନାହିଁ କି ଅଧାରୁ ପାଠପଢ଼ା ଛାଡ଼ିବେ ନାହିଁ। ଯାହା କରୁଛ କର। ଏହାପରେ ଯାହା ହେବାକଥା ତାହା ହିଁ ହେଲା। ବିଦ୍ୟାଳୟ ନ ଆସିଲେ ବି କାଗଜପତ୍ରରେ ପିଲାମାନଙ୍କର ନାମ ରହିଲା। ଅକ୍ଷର ଚିହ୍ନିପାରୁ ବା ନ ପାରୁ, ମିଶାଣ, ଫେଡ଼ାଣ, ଗୁଣନ, ହରଣ ଜାଣିଥାଉ ବା ନ ଥାଉ, ଓଡ଼ିଆ ଲେଖିପାରୁ ବା ନ ପାରୁ, ଇଂରାଜୀ ପଢ଼ିପାରୁ ବା ନ ପାରୁ ପ୍ରଥମରୁ ଦଶମ ଯାଏଁ କେଉଁଠି ପ୍ରତିବନ୍ଧକ ନାହିଁ। ଏହା ଦେଖି ବହୁ ଅଭିଭାବକ ତାଙ୍କ ପିଲାଙ୍କ ଭବିଷ୍ୟତ କଥା ଚିନ୍ତାକରି ଘରୋଇ ବିଦ୍ୟାଳୟକୁ ନେଇଯିବାକୁ ଉଚିତ ମଣିଲେ। ଫଳରେ କ୍ରମଶଃ ସରକାରୀ ବିଦ୍ୟାଳୟରେ ପିଲା ସଂଖ୍ୟା କମିବାକୁ ଲାଗିଲା। ସରକାର ଚାହିଁଲେ ଯେଉଁଠି ପିଲା ସଂଖ୍ୟା କମ୍‌ ସେହି ବିଦ୍ୟାଳୟକୁ ନିକଟବର୍ତ୍ତୀ ବିଦ୍ୟାଳୟ ସହ ମିଶାଇ ଦେବେ କିମ୍ବା ବନ୍ଦ କରିଦେବେ। ୨୦୨୨ରେ ତତ୍କାଳୀନ ସରକାର ରାଜ୍ୟରେ ୭୪୭୮ଟି ବିଦ୍ୟାଳୟକୁ ବନ୍ଦ କରିଦେବା ପାଇଁ ଚାହିଁଥିଲେ। କିନ୍ତୁ ଜାଣିବାକୁ ଚାହିଁଲେ ନାହିଁ,ଏହି ସବୁ ବିଦ୍ୟାଳୟର ପିଲା ସଂଖ୍ୟା କମିଲା କାହିଁକି ? ବନ୍ଦ କରିଦେଲେ ସେ ଅଞ୍ଚଳର ପିଲାମାନେ ପଢ଼ିବେ କେଉଁଠି? ସରକାରଙ୍କ ଇଚ୍ଛାର ଲଗାମ ଶିକ୍ଷା ଅଧିକାର ଆଇନକୁ ଲଗାମ ଦେଇଦେଲା।
ସରକାର ବଦଳିଲା। ନୂତନ ସରକାର କହିଲେ, ବିଦ୍ୟାଳୟ ବନ୍ଦ ହେବ ନାହିଁ। ସେଠାକାର ଲୋକମାନେ ଖୁସି ହେଲେ। କିନ୍ତୁ ଏବେ ପୁଣି ଶୁଣିବାକୁ ମିଳିଲାଣି ସରକାର ଚାହୁଁଛନ୍ତି ୨୦ ରୁ କମ୍‌ ପିଲା ସଂଖ୍ୟା ଥିବା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବେ। ଏମାନଙ୍କ ସଂଖ୍ୟା ୫୬୩୦। ପୁଣି ପଶ୍ଚିମ ଓଡ଼ିଶାରେ ବନ୍ଦ ହେବ ୧୮୫୬ଟି ବିଦ୍ୟାଳୟ, ପାହାଡ଼ ପର୍ବତ ଘେରା ସୁନ୍ଦରଗଡ଼ ଜିଲାରେ ସର୍ବାଧିକ ୩୯୭। ଦୁର୍ଭାଗ୍ୟଜନକ ବିଷୟ ତତ୍କାଳୀନ ସରକାର ତର୍ଜମା କରି ନ ଥିଲେ, ବର୍ତ୍ତମାନର ସରକାର ମଧ୍ୟ ପିଲା ସଂଖ୍ୟା ହ୍ରାସ ହେବାର କାରଣ ଖୋଜିଲେ ନାହିଁ।
ପିଲାଙ୍କ ପାସ୍‌ ଫେଲ୍‌କୁ ନେଇ ପ୍ରଚାର ହେଲା ସରକାର ଚାହୁଁଛନ୍ତି ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ। ୫ମ ଓ ୮ମ ଶ୍ରେଣୀରେ ପିଲାଙ୍କୁ ବୋର୍ଡ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ଯିଏ ଏଥିରେ ପାସ୍‌ କରିବ ସେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବ, ନ ହେଲେ ସେହି ଶ୍ରେଣୀରେ ପଢ଼ିବାକୁ ହେବ। ଏହା ଶୁଣି ଶିକ୍ଷାବିତ୍‌ଙ୍କ ମତ ହେଲା, ଶିକ୍ଷା ଅଧିକାର ଆଇନର ଏହା ପରିପନ୍ଥୀ। ମାନବାଧିକାର କର୍ମୀମାନେ କହିଲେଣି, ଅଧାରୁ ପାଠପଢ଼ା ଛାଡ଼ିବେ ଏହି ଧରଣର ପିଲାମାନେ। ପୁଣି ସରକାର ଚାହିଁଲେଣି ପରୀକ୍ଷାରେ ଯିଏ ଅକୃତକାର୍ଯ୍ୟ ହେବ ତା’ ପାଇଁ ଏକ ସପ୍ଲିମେଣ୍ଟାରି ପରୀକ୍ଷାର ବ୍ୟବସ୍ଥା ରହିବ। ଏହି ପରୀକ୍ଷା ଦେବା ପରେ ସେ ଉତ୍ତୀର୍ଣ୍ଣ ହେବ। ଏଭଳି ପରୀକ୍ଷା ନିରୀକ୍ଷା ଶିକ୍ଷାର ଗୁଣାତ୍ମକ ମାନ ବଢ଼ାଇବ ନା ଯଥା ପୂର୍ବଂ ତଥା ପରମ୍‌ ସ୍ଥିତିରେ ଆମେ ରହିବା ତାହା ଭବିଷ୍ୟତରେ ଜଣାପଡ଼ିବ।
ସରକାର ବଦଳିବା କ୍ଷଣି ଶିକ୍ଷାନୁଷ୍ଠାନର ରୂପ ଢାଞ୍ଚା ବଦଳି ଯାଉଛି। ଶିକ୍ଷାର ବିକାଶ ନାମରେ କିଏ ନନ୍‌ଫରମାଲ ବିଦ୍ୟାଳୟ ଖୋଲିବାର ନିଷ୍ପତ୍ତି ନେଲେ ତ କିଏ ନବୋଦୟ ବିଦ୍ୟାଳୟ। କିଏ ପ୍ରତି ବ୍ଲକ୍‌ରେ ଗୋଟିଏ ଆଦର୍ଶ ବିଦ୍ୟାଳୟ ପୁଣି କିଏ ପ୍ରତି ପଞ୍ଚାୟତରେ ଗୋଟିଏ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଖୋଲି ଗୁଣାତ୍ମକ ଶିକ୍ଷା ପ୍ରଦାନର ପରିକଳ୍ପନା କଲେଣି। କିଏ କହିଲେ ୧୦ + ୨ + ୩ ଢାଞ୍ଚାରେ ବିଦ୍ୟାଳୟ ଗଢ଼ି ଉଠିବା ଆବଶ୍ୟକ। କିଏ ଚାହିଁଲେଣି ନା ଏମିତି ନୁହେଁ ବରଂ ୫ + ୩ + ୩ + ୪ ଢାଞ୍ଚାରେ ବିଦ୍ୟାଳୟ ହେଲେ ଶିକ୍ଷା ଆଗକୁ ବଢ଼ିବ। କିଏ ଚାହିଁଲେ ୬ ବର୍ଷ ହେବା ପରେ ଶିଶୁ ବିଦ୍ୟାଳୟ ଆସୁ, ଆଉ କାହାର ଇଚ୍ଛା ୩ ବର୍ଷ ଠାରୁ ଶିଶୁର ବିଦ୍ୟାରମ୍ଭ ହେବା ଜରୁରୀ। କିନ୍ତୁ ଚିନ୍ତାର ବିଷୟ ହେଉଛି କୌଣସି ପୂର୍ବ ପ୍ରସ୍ତୁତି ବିନା ହଠାତ୍‌ ଏଭଳି ନିଷ୍ପତ୍ତି ନେବା ରାତାରାତି ରୋମ ନଗରୀ ଗଢ଼ିବାକୁ ଇଚ୍ଛା ପ୍ରକଟ କରିବା ଭଳି। ଏଇ ଯେମିତି ୩ ବର୍ଷର ଶିଶୁଟିଏ ବିଦ୍ୟାଳୟକୁ ଆସିଲେ ତା’ର ଯତ୍ନ ନେବ କିଏ, ସେ କ’ଣ ପଢ଼ିବ, ତାକୁ କିଏ ପଢ଼ାଇବ ଏ ସବୁର ବ୍ୟବସ୍ଥା ନ କରି ଚଳିତ ବର୍ଷ ଆମ ରାଜ୍ୟରେ ୪୫ ହଜାର ଶିଶୁବାଟିକା ଖୋଲାଯାଇଛି। ଅସ୍ବାସ୍ଥ୍ୟକର ପରିବେଶ, ଅସୁରକ୍ଷିତ ଅବସ୍ଥା ତଥା ଚରମ ଅବହେଳାରେ ଅତିବାହିତ ଶୈଶବ କେତେ ବାଟ ଯାଇପାରିବ ?
ବେଳେ ବେଳେ ଶୁଣାଯାଏ ସରକାର କୁଆଡ଼େ ଚାହୁଁଛନ୍ତି ବୋର୍ଡ ପରୀକ୍ଷାରେ କେତେ ଶତକଡ଼ା ପରୀକ୍ଷା ଫଳ ହେବ। ଅବଶ୍ୟ ବିଗତ ୪/୫ ବର୍ଷର ବୋର୍ଡ ପରୀକ୍ଷା ଫଳକୁ ଅନୁଧ୍ୟାନକଲେ ଅଭିଯୋଗଟିକୁ ସମ୍ପୂର୍ଣ୍ଣ ଅସ୍ବୀକାର କରାଯାଇପାରିବ ନାହିଁ। ଗୋଟିଏ ପଟେ କୁହାଯାଉଛି ପିଲାଙ୍କର ବୌଦ୍ଧିକ ବିକାଶ ଅତ୍ୟନ୍ତ ନିମ୍ନମାନର ଅନ୍ୟ ପଟେ ବୋର୍ଡ ପରୀକ୍ଷାର ଫଳ ଶତ ପ୍ରତିଶତର ନିକଟତର। ଏମିତି କେମିତି ହେବ ? ଏ ପ୍ରକାର ଅସଂଗତିର ପରିସମାପ୍ତି କେବେ ? ପରୀକ୍ଷାଫଳ କଥା ହେଉ, ପାଠ୍ୟ ଖସଡ଼ା କଥା ହେଉ, ବିଦ୍ୟାଳୟ ଖୋଲିବା ଏବଂ ବନ୍ଦହେବା କଥା ହେଉ, ଶିକ୍ଷକ ନିଯୁକ୍ତି କଥା ହେଉ ସବୁକଥା ଯଦି ସରକାରଙ୍କ ଚାହିଁବା ନ ଚାହିଁବା ଉପରେ ନିର୍ଭରକରିବ ତେବେ ବ୍ୟବସ୍ଥାଟି ଏକ ନିର୍ଦ୍ଦିଷ୍ଟ ମତର ଅନୁଗାମୀ ହେବ।

ଅକ୍ଷୟ କୁମାର ମିଶ୍ର
ସଭାପତି, ଓଷ୍ଟା
ମୋ: ୯୯୩୮୭୬୩୨୩୭

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

ଆଇନ ଶାସନର ଉଲ୍ଲଂଘନ

ଆକାର ପଟେଲ ଏକ ଗଣତାନ୍ତ୍ରିକ ସମାଜ ଭାବରେ ଏହା ଆଶା କରାଯାଏ ଯେ ଭାରତର କର୍ତ୍ତୃପକ୍ଷ ଆଇନର ଶାସନ ପାଳନ କରିବେ। ଏକ ଧାରଣା ବି ରହିଛି,…

ତିନି ଘଣ୍ଟାର ଗସ୍ତ

ନୂଆଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ବିଜ୍‌ନେସ ସମ୍ପର୍କିତ ଆଲୋଚନା ପାଇଁ ତିନି ଘଣ୍ଟା ଯଥେଷ୍ଟ ସମୟ। ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri