ଓଟିଏମ୍‌କୁ ନିଜ ଅକ୍ତିଆରକୁ ନେଲେ ସରକାର

ମଙ୍ଗୁଳି-ଜଗତପୁର/ଚୌଦ୍ୱାର, ୪।୧୨(ଡି.ଏନ୍‌.ଏ): କଟକ ଜିଲା ଚୌଦ୍ୱାରସ୍ଥିତ ଓଡ଼ିଶା ଟେକ୍ସଷ୍ଟାଇଲ ମିଲ୍‌ସ(ଓଟିଏମ୍‌) ପୁନରୁଦ୍ଧାର ପ୍ରସଙ୍ଗରେ ହାଇକୋର୍ଟ ଆସନ୍ତା ୫ତାରିଖ ଅପରାହ୍ନ ୪ଟା ସୁଦ୍ଧା ରାଜ୍ୟ ସରକାର ନିଜ ଅକ୍ତିଆରକୁ ନେବା ପାଇଁ ଶୁକ୍ରବାର ନିର୍ଦ୍ଦେଶ ଦେଇଥିଲେ। ତେବେ ୨୪ଘଣ୍ଟା ନ ପୂରୁଣୁ ଶନିବାର ଅପରାହ୍ନରେ କମ୍ପାନୀର ସ୍ଥାବର ୫୨୨ଏକର ଓ ଅସ୍ଥାବର ସମ୍ପତ୍ତିକୁ ରାଜ୍ୟ ସରକାର ତାଙ୍କ ପ୍ରତିନିଧି ତହସିଲଦାରଙ୍କ ଜରିଆରେ ଅଫିସିଆଲ ଲିକ୍ୟୁଡେଟରଙ୍କଠାରୁ ନିଜ ଅକ୍ତିଆରକୁ ନେଇଛନ୍ତି। ଏହି ହସ୍ତାନ୍ତର ପ୍ରକ୍ରିୟା ବେଳେ ଲିକ୍ୟୁଡେଟରଙ୍କ ପ୍ରତିନିଧି ଦଳ, ରାଜ୍ୟ ବୟନ ଶିଳ୍ପ ବିଭାଗର ପ୍ରତିନିଧି ଦଳ, ତହସିଲଦାର ଚୌଧୁରୀ ପ୍ରଜ୍ଞାନନ୍ଦ ଦାସ, ଇଡ୍‌କୋ ଜଗତପୁର ଡିଭିଜନର ସୁପରିଣ୍ଟେଣ୍ଡେଣ୍ଟ ହେଡ୍‌ ପରୀକ୍ଷିତ ମହାଳିକ ଓ ଚୌଦ୍ୱାର ପୋଲିସ କମ୍ପାନୀ ପରିସରରେ ଉପସ୍ଥିତ ଥିଲେ । ଏହାର ସମସ୍ତ ଦାୟିତ୍ୱ ରାଜ୍ୟ ସରକାର ନେବେ ଏବଂ ଏହାର ରକ୍ଷଣାବେକ୍ଷଣ ପାଇଁ ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ କର୍ପୋରେଶନ ଓଡ଼ିଶା (ଇଡ୍‌କୋ)ପକ୍ଷରୁ କମ୍ପାନୀ ପରିସରରେ ସୁରକ୍ଷାକୁ ଆଖି ଆଗରେ ରଖି ସିସିଟିଭି ଲଗାଯିବା ସହ ଆଲୋକୀକରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଓଟିଏମ୍‌ ପରିସରରେ ଥିବା ବିଭିନ୍ନ ଘଞ୍ଚ ଜଙ୍ଗଲ ସଫା ସହ ଏହାର ସ୍ବଚ୍ଛତାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମକୁ ଜୋରଦାର କରାଯିବ ବୋଲି ଇଡ୍‌କୋ ଅଧିକାରୀ ମହାଳିକ କହିଛନ୍ତି । ଲୋକଙ୍କ ବକେୟା ପ୍ରାପ୍ୟ ଦେବା ପାଇଁ ଏକ ସ୍ପେଶାଲ କମିଟି କରାଯାଇ ପ୍ରାପ୍ୟ ଯଥାଶୀଘ୍ର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ରାଜ୍ୟ ସରକାର ନିଜ ଅକ୍ତିଆରକୁ ନେବାବେଳେ ଓଟିଏମ୍‌କୁ ନେଇ ୧୮ବର୍ଷ ଧରି ସଂଗ୍ରାମ ଜାରି ରଖିଥିବା ଓଟିଏମ୍‌ ବଞ୍ଚାଅ ସଂଗଠନ ଓ ବିରାଟ ଜନକଲ୍ୟାଣ ସମିତିର ଏକ ପ୍ରତିନିଧି ମଣ୍ଡଳୀ ଉପସ୍ଥିତ ଥିଲେ । ଓଟିଏମ୍‌ ଗେଟ ସମ୍ମୁଖରେ ଧାରଣାରେ ବସିଥିବା ଶ୍ରମିକମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଉଭୟ ସଂଗଠନର ଆବାହକ ଦୀପକ କୁମାର ବାରିକ କହିଛନ୍ତି, ନିଃସ୍ବାର୍ଥପର, ଗଠନମୂଳକ, ନିଷ୍ଠାପର ଲଢ଼େଇ କେବେ ବ୍ୟର୍ଥ ଯାଏ ନାହିଁ। ସୂଚନାଯୋଗ୍ୟ, ଓଡ଼ିଶା ଟେକ୍ସଟାଇଲ ମିଲ୍ସ(ଓଟିଏମ୍‌) ପୁନରୁଦ୍ଧାର ପ୍ରସଙ୍ଗରେ ହାଇକୋର୍ଟ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ। ଆସନ୍ତା ୫ ତାରିଖ ଅପରାହ୍ନ ୪ଟା ସୁଦ୍ଧା ରାଜ୍ୟ ସରକାର ଓଟିଏମ୍‌କୁ ନିଜ ଅକ୍ତିଆରକୁ ନେବେ। କମ୍ପାନୀର ସମସ୍ତ ସମ୍ପତ୍ତିକୁ ରାଜ୍ୟ ସରକାର ତାଙ୍କ ପ୍ରତିନିଧିଙ୍କ ଜରିଆରେ ଅଫିସିଆଲ ଲିକ୍ୟୁଡେଟରଙ୍କଠାରୁ ଗ୍ରହଣ କରିବେ। ଏହି ସମୟ ମଧ୍ୟରେ ସରକାର ଯଦି ହସ୍ତାନ୍ତର କାର୍ଯ୍ୟ କରି ନ ପାରନ୍ତି ତେବେ ମାସକୁ ୬ ଲକ୍ଷ ଟଙ୍କା ଅଫିସିଆଲ ଲିକ୍ୟୁଡେଟରଙ୍କ ନିକଟରେ ଜମା କରିବେ। ଆସନ୍ତା ୬ ତାରିଖ ପରବର୍ତ୍ତୀ ଶୁଣାଣିବେଳେ ଏ ସମ୍ପର୍କିତ ତଥ୍ୟ ସତ୍ୟପାଠ ଆକାରରେ ଅଦାଲତଙ୍କୁ ଅବଗତ କରାଇବାକୁ ବିଚାରପତି ଅରିନ୍ଦମ ସିହ୍ନାଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।