୧୩ ପ୍ରକଳ୍ପକୁ ଜମି ଯୋଗାଇଲେ ସରକାର

ଭୁବନେଶ୍ୱର,୩ା୮(ବ୍ୟୁରୋ): ରାଜ୍ୟରେ ପୋଷାକ ପ୍ରସ୍ତୁତି, ଲଜିଷ୍ଟିକ୍‌ ପାର୍କ, ସଫ୍ଟଓ୍ବେର ପ୍ରସ୍ତୁତି ଓ ଡିଜିଟାଲ୍‌ ମାର୍କେଟିଂ, ଖେଳ ସାମଗ୍ରୀ ଉତ୍ପାଦନ, କାର୍ବନ ବ୍ଲକ୍‌ ଉତ୍ପାଦନ, ପିଭିସି ଏବଂ ଏଚ୍‌ଡିପିଇ ପାଇପ୍‌ ନିର୍ମାଣ, ଘରୋଇ ସରଞ୍ଜାମ ପ୍ରସ୍ତୁତି ଏବଂ ଡାଟା ସେଣ୍ଟର ଆଦି ୧୩ଟି ପ୍ରକଳ୍ପକୁ ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ଉଚ୍ଚସ୍ତରୀୟ ଜମି ଆବଣ୍ଟନ କମିଟି ବୈଠକରେ ଏହି ନୂଆ ପୁଞ୍ଜିନିବେଶ ପ୍ରକଳ୍ପ ପାଇଁ ଜମି ଆବଣ୍ଟନ କରାଯାଇଛି। ଉକ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପ୍ରାୟ ୭୬୬ କୋଟି ଟଙ୍କା ବିନିଯୋଗ ହେବା ସହ ୮୬୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହାଛଡ଼ା ଏହି ଶିଳ୍ପାନୁଷ୍ଠାନଗୁଡ଼ିକ ପାଇଁ କଞ୍ଚାମାଲ ଯୋଗାଣ, ପଦାର୍ଥ ପରିବହନ, ବ୍ୟବସାୟ କେନ୍ଦ୍ର,ଗମନାଗମନ ଆଦି ମାଧ୍ୟମରେ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକ ପରୋକ୍ଷ ରୋଜଗାରର ସୁଯୋଗ ପାଇବେ । ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ସଚିବ ହେମନ୍ତ ଶର୍ମା ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ପ୍ରୟୋଜନୀୟତା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଦକ୍ଷତା ବିଷୟରେ ସବିଶେଷ ସୂଚନା ଦେଇଥିଲେ। ଜମି ଆବଣ୍ଟନ ପ୍ରସ୍ତାବକୁ ଅନୁମୋଦନ ଦେଇ ପ୍ରକଳ୍ପଗୁଡ଼ିକର ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ନୂଆ ପ୍ରତିଷ୍ଠା ହେଉଥିବା ଏହି ଶିଳ୍ପ ସଂସ୍ଥାଗୁଡ଼ିକରେ ଅଧିକରୁ ଅଧିକ ଓଡ଼ିଆ ଯୁବତୀଯୁବକଙ୍କ ନିଯୁକ୍ତି ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ପର୍ଯ୍ୟଟନ ବିଭାଗ ସଚିବ ସୁରେନ୍ଦ୍ର କୁମାର, ବୈଦ୍ୟୁତିକ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ ମନୋଜ ମିଶ୍ର, ଇଡ୍‌କୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭୂପେନ୍ଦ୍ର ପୁନିଆଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ।