ଚଳିତ ବର୍ଷର ଅନୁଦାନ ୩୫୧ କୋଟିକୁ ବୃଦ୍ଧି କଲେ ସରକାର

ଭୁବନେଶ୍ୱର,୭ା୧୦(ଅନିଲ ଦାସ): ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୭୫.୫ କୋଟିର ଅତିରିକ୍ତ ବ୍ୟୟବରାଦ କରାଯାଇଛି। ଏହି ଅନୁଦାନକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି। ଆଦିବାସୀଙ୍କ ଭାଷା, କଳା, ସଂସ୍କୃତି, ଐତିହ୍ୟର ସଂରକ୍ଷଣ ପାଇଁ ଏହା ଖର୍ଚ୍ଚ ହେବ । ଚଳିତ ବର୍ଷର ସ୍ବାଭାବିକ ଅନୁଦାନ ୧୭୫.୫ କୋଟି ଟଙ୍କା ସହିତ ଏହି ଅତିରିକ୍ତ ଅନୁଦାନ ମିଳିବ। ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷମାନଙ୍କ ସହ ଆଲୋଚନା ସମୟରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଏହି ସୂଚନା ଦେଇଛନ୍ତି । ଏହା ଦ୍ୱାରା ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ଚଳିତ ବର୍ଷ ସମୁଦାୟ ୩୫୧ କୋଟି ଟଙ୍କାର ଅନୁଦାନ ମିଳବ। ଏହି ଘୋଷଣା ଦ୍ବାରା ୯ ଜିଲା ପରିଷଦର ଅଧ୍ୟକ୍ଷ ଓ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ୯ଟି ଜିଲା ଯଥା- କୋରାପୁଟ, ମାଲକାନଗିରି, ଗଜପତି, ମୟୂରଭଞ୍ଜ, ରାୟଗଡ଼ା, କେନ୍ଦୁଝର, କନ୍ଧମାଳ,ସୁନ୍ଦରଗଡ଼ ଓ ନବରଙ୍ଗପୁର ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି।