
ସୋନପୁର,୬।୬(ମୃତ୍ୟୁଞ୍ଜୟ ଶତପଥୀ): ରାଜ୍ୟରେ ନୂଆ ଭାଜପା ସରକାର ଆସିବା ପରେ ସୁବର୍ଣ୍ଣପୁରରେ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ନେଇ ଜିଲାବାସୀ ଆଶା କରିଥିଲେ। ଏହି ଜିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି ବଡ ପ୍ରତିଷ୍ଠାନ ନାହିଁ। ତେଣୁ ରାଜ୍ୟର ସବୁ ଅଞ୍ଚଳର ସମାନ ବିକାଶ ଉପରେ ଗୁରୁତ୍ୱ ଦେଉଥିବା ମୋହନ ସରକାରଙ୍କୁ ନେଇ ଆଶା ବଢିଥିଲା। ନୂଆ ସରକାର ବର୍ଷ ପୂର୍ତ୍ତି ପାଳନ କରିବାକୁ ଆଉ ୧ ସପ୍ତାହ ବାକି ଅଛି। ଏହି ସମୟ ମଧ୍ୟରେ ପ୍ରସ୍ତାବିତ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ସରକାରୀ ସ୍ତରରେ କୌଣସି ଅଗ୍ରଗତି ହୋଇନି। ଆସନ୍ତା ୭ ତାରିଖ ଅପରାହ୍ନରେ ମୁଖମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ସୁବର୍ଣ୍ଣପୁରକୁ ଆସୁଛନ୍ତି। ତାଙ୍କ ଗସ୍ତକୁ ନେଇ ବେଶ ଆଶାବାଦୀ ଅଛନ୍ତି ଜିଲାର ବୁଦ୍ଧିଜୀବୀ ଓ ସଚେତନ ନାଗରିକ। ସେମାନେ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ସ୍ମାରକପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି। ଜିଲାରେ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୨ବର୍ଷ ପୂର୍ବରୁ ଉଦ୍ୟମ ହୋଇଥିଲା। ଡିପିଆର ପ୍ରସ୍ତୁତ ପରେ ଜିଲା ପ୍ରଶାସନ ପକ୍ଷରୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବଙ୍କୁ ୨୦୨୩ ନଭେମ୍ବରରେ ଚିଠି ଲେଖା ଯାଇଥିଲା। ଏକ ଉଚ୍ଚସ୍ତରୀୟ ଟିମ୍ ପଠାଇ ଭିତ୍ତିଭୂମି ଓ ପ୍ରସ୍ତାବିତ ମହାବିଦ୍ୟାଳୟ ପ୍ରତିଷ୍ଠା ସ୍ଥାନ ନିରୂପଣ କରି ନିଷ୍ପତ୍ତି ନେବାକୁ ଅନୁରୋଧ ହୋଇଥିଲା। ଇତିମଧ୍ୟରେ ୧୮ ମାସ ବିତି ଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଟିମ୍ ପଠାଯାଇନି। ଜିଲାପାଳ ଅନ୍ୟା ଦାସ ୨୦୨୪ ଜୁଲାଇ ୨୩ରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବଙ୍କୁ ପୁଣି ଏକ ଚିଠି ଲେଖିଥିଲେ। ବଲାଙ୍ଗୀର ଏମ୍ପି ସଙ୍ଗୀତା କୁମାରୀ ସିଂହଦେଓ ଲୋକ ସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ। ଗତ ଏପ୍ରିଲ ମାସରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ଶିଳ୍ପବିହୀନ ଏହି ଜିଲାରେ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବିଧାନସଭାରେ ଦାବି କରିଥିଲେ। ଉତ୍ତରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଳିକ କହିଥିଲେ, ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜିଲାରୁ କୌଣସି ବିଧିବଦ୍ଧ ପ୍ରସ୍ତାବ ଆସିନାହିଁ। ସେଭଳି ପ୍ରସ୍ତାବ ଆସିଲେ ବିଚାର କରାଯିବ। ମନ୍ତ୍ରୀଙ୍କ ଏହି ଉତ୍ତର ଜିଲାବାସୀଙ୍କୁ ନିରାଶ କରିଥିଲା।
ବହୁ ନଦୀ ନଳ ପ୍ରବାହିତ ହେଉଥିବା ଜିଲା ହେଉଛି ସୁବର୍ଣ୍ଣପୁର। ଏଠାରେ ବିଭିନ୍ନ ପ୍ରଜାତିର ମଧୁର ଜଳ ମାଛ ଓ ଚିଙ୍ଗୁଡି ମିଳିଥାଏ। ଜିଲାରେ ମହାନଦୀ, ତେଲନଦୀ, ଅଙ୍ଗନଦୀ, ସୁକତେଲ ନଦୀର ବିସ୍ତୀର୍ଣ୍ଣ ଜଳରାଶି ସହ ବଡ ନାଳ, ହରିହରଯୋର ଡ୍ୟାମ୍, ଶତାଧିକ ବନ୍ଧ ଓ ପୋଖରୀ ରହିଥିବାରୁ ମତ୍ସ୍ୟ ଉତ୍ପାଦନ ସହ ଗବେଷଣା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖାନ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ଜିଲାପାଳଙ୍କ ଜରିଆରେ ମତ୍ସ୍ୟ ମହାବିଦ୍ୟାଳୟ ସମ୍ପିର୍କତ ଅନୁରୋଧ ପତ୍ର ମତ୍ସ୍ୟ ଓ ପ୍ରାଣୀପାଳନ ବିକାଶ ବିଭାଗର ପ୍ରମୁଖ ସଚିବଙ୍କୁ ପୂର୍ବରୁ ଲେଖାଯାଇଥିଲା। ବିଭାଗର ପ୍ରମୁଖ ସଚିବ ଭିତ୍ତିଭୂମି ସମୀକ୍ଷା ସହିତ ଆନୁଷଙ୍ଗିକ ଖର୍ଚ୍ଚ, ଜମି ଆଦିର ବିସ୍ତୃତ ରିପୋର୍ଟ ମାଗିଥିଲେ। ସେହି ଅନୁସାରେ କମିଟି ଓ ସବ୍ କମିଟି ଗଠନ ହୋଇଥିଲା। ମହାବିଦ୍ୟାଳୟ ପାଇଁ ୫୦ ରୁ ୬୦ ଏକର ଜମି ଆବଶ୍ୟକ। ଏହି କ୍ୟାମ୍ପସ୍ରେ ଛୋଟରୁ ବଡ ପୋଖରୀ, ଖେଳ ପଡିଆ, ଆଡମିନିଷ୍ଟ୍ରେଟିଭ୍ ବ୍ଲକ, ହଷ୍ଟେଲ ଆଦି ନିର୍ମାଣ କରାଯିବ। ବିନିକା ନିକଟସ୍ଥ ରହିଲାରେ ପ୍ରାୟ ୫୫ ଏକର ପରିମିତ ଅଞ୍ଚଳରେ ଓଡିଶା ମତ୍ସ୍ୟ ଉନ୍ନୟନ ନିଗମର ଫାର୍ମ ରହିଛି। ସେହିପରି ମତ୍ସ୍ୟ ବିଭାଗର ସୁବର୍ଣ୍ଣପୁର ସରକାରୀ ଫାର୍ମରେ ୭୫ ଏକର ପରିମିତ ଅଞ୍ଚଳରେ ଏକାଧିକ ଛୋଟ ବଡ ପୋଖରି ରହିଛି ବୋଲି ଜିଲା ପ୍ରଶାସନ ପକ୍ଷରୁ ଦର୍ଶାଯାଇଥିଲା।