ସୁନା ଅଳଙ୍କାର ଲୁଟିନେଲେ ମୁଖାପିନ୍ଧା ଦୁର୍ବୃତ୍ତ

ପାଟଣା,୧୮।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟସ୍ଥିତ କାମେଶ୍ୱରପୁର ଶାସନ ବାଉଁଶଡିହା ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ମୁଖାପିନ୍ଧା ୩ ଦୁର୍ବୃତ୍ତ ୨ ଜଣଙ୍କ ଘରୁ ଲୁଟ କରିବା ସହ ପରିବାର ଲୋକଙ୍କୁ ମାଡ଼ ମାରିଛନ୍ତି।
ସୂଚନାନୁଯାୟୀ, ରାତିରେ ସାହିର ନିରଞ୍ଜନ ତ୍ରିପାଠୀଙ୍କ ଅନୁପସ୍ଥିତିରେ ୩ ଦୁର୍ବୃତ୍ତ ମୁଖାପିନ୍ଧି ତାଙ୍କ ଘରେ ପଶିଥିଲେ। ସ୍ତ୍ରୀ ମିନା ଓ ବିବାହିତା ଝିଅ ସରିତା ଦ୍ବିବେଦୀ ପ୍ରତିବାଦ କରିବାରୁ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କଘରୁ ଦୁର୍ବୃତ୍ତ ପାସବୁକ ,ମୋବାଇଲ ଫୋନ, ଇମିଟେଶନ ଚେନ୍‌ ନେଇଥିବା ଜଣାପଡ଼ିଛି।
ଅନୁରୂପ ଭାବେ ଦୁର୍ବୃତ୍ତ ଉକ୍ତ ସାହିର କାର୍ତ୍ତିକା ନାଏକଙ୍କ ଘରେ ପଶି ଲୁଟି ନେଇଛନ୍ତି। ତାଙ୍କ ଘରୁ ଦୁଇହଳ ସୁନା କାନଫୁଲ, ହଳେ ରୂପା ପାଉଜି ଲୁଟିନେଇଛନ୍ତି। ଖବରପାଇ ଘଟଣାସ୍ଥଳରେ ପାଟଣା ଥାନାଧିକାରୀ ସୋମନାଥ ଜେନା ଓ ଏଏସ୍‌ଆଇ ଶିବଶଙ୍କର ଆଲଦା ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।